କିନ୍ମେନ୍ ଦ୍ବୀପ: କିନ୍ମେନ୍ ଦ୍ବୀପର ଉତ୍ତର ଭାଗର ଶେଷ ପ୍ରାନ୍ତରେ ଥାଇ ତାଇୱାନ୍ ସେନା ତାଇୱାନ୍ ତଟ ଉପରେ ନଜର ରଖିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ସେଠାରୁ ଚୀନ୍ର ମେନ୍ଲାଣ୍ଡ୍ ମାତ୍ର ୧୮୦୦ କିଲୋମିଟର୍ ଦୂରରେ ଅବସ୍ଥିତ ହୋଇଥିବା ବେଳେ ତାଇୱାନ୍ ଉପକୂଳ ସମୁଦ୍ର ମଧ୍ୟରେ ଚୀନ୍ର ବାଣିଜ୍ୟ ପୋତ ସବୁ ନଙ୍ଗର ପକାଇଥିବା ଦେଖାଯାଉଛି। କିନ୍ତୁ, ସେ ବାଣିଜ୍ୟ ପୋତଗୁଡ଼ିକୁ ଚୀନ୍ ନୌସେନା କର୍ମଚାରୀମାନେ ଚଳାଉଛନ୍ତି। ସେଥିରେ ଚୀନ୍ ନୌସେନାର ପତାକା ଉଡୁନାହିଁ।
ଚୀନ୍ର ସବୁପ୍ରକାର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ନିମନ୍ତେ କିନ୍ମେନ୍ ଦ୍ବୀପ ତଟରେ ତାଇୱାନ୍ ସେନା ‘ୱାଚ୍ ପୋଷ୍ଟ୍’ ଏବଂ ‘ବଙ୍କର୍’ ନିର୍ମାଣ କରିଛି।

ସୂଚନାଯୋଗ୍ୟ, ତାଇୱାନ୍ର ନାଁ ‘ଫର୍ମୋସା’ ଥିବା ସମୟରୁ ଚୀନ୍ ଓ ତାଇୱାନ୍ ମଧ୍ୟରେ ତିକ୍ତତା ଲାଗି ରହିଛି। ‘ପିପୁଲ୍ସ୍ ରିପବ୍ଲିକ୍ ଅଫ୍ ଚାଇନା’ର ୭୨ତମ ବାର୍ଷିକୀ ପାଳନ ଅବସରରେ ୨୦୨୧ ଅକ୍ଟୋବର ୧ ତାରିଖ ଦିନ ଚୀନ୍ ତାଇୱାନ୍ର ‘ଏୟାର୍ଡିଫେନ୍ସ୍ ଆଇଡେଣ୍ଟିଫିକେସନ୍ ଜୋନ୍’ ମଧ୍ୟକୁ ୧୦୦ରୁ ଅଧିକ ଲଢୁଆ ବିମାନ ପଠାଇବାରୁ ଚୀନ୍ ଓ ତାଇୱାନ୍ ଆରମ୍ଭ ହୋଇଥିବା ସଦ୍ୟ ଉତ୍ତେଜନା ଏ ପର୍ଯ୍ୟନ୍ତ ଲାଗି ରହିଛି।
ପୁନଶ୍ଚ, ଚଳିତ ମାସ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍ସି ପିଲୋସିଙ୍କ ତାଇୱାନ୍ ଗସ୍ତ ଚୀନ୍ ଆହୁରି କ୍ଷୁବ୍ଧ କରି ଦେବାରୁ ସେ ଦ୍ବୀପଦେଶ ତାଇୱାନ୍ ଚତୁଃପାର୍ଶ୍ବରେ ବ୍ୟାପକ ସମରାଭ୍ୟାସ ଚଳାଇଛି।