୫୬ଟି ଚୀନ ଲଢୁଆ ବିମାନର ଅନୁପ୍ରବେଶ ପରେ ତାଇଓ୍ବାନରେ ହାଇଆଲର୍ଟ ଜାରି

ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ : ତାଇଓ୍ବାନ ବିଦେଶ ମନ୍ତ୍ରୀ

ତାଇପେଇ : କ୍ଷୁଦ୍ର ଦେଶ ତାଇଓ୍ବାନ ଅଧିକାର କରିବାକୁ ଚୀନ ସେନା ଦୁଃସାହସ କରିବା ଆରମ୍ଭ କରିଦେଇଛି । ଗତ ୪ ଦିନ ହେଲା ଚୀନ ବାୟୁସେନାର ଲଢୁଆ ବିମାନଗୁଡ଼ିକ ତାଇଓ୍ବାନର ବାୟୁସୀମା (ପ୍ରତିରକ୍ଷା ଜୋନ) ଉଲ୍ଲଙ୍ଘନ କରିଚାଲିଛନ୍ତି । ଏହି ୪ ଦିନରେ ପ୍ରାୟ ଚୀନ ବାୟୁସେନାର ପ୍ରାୟ ୧୫୦ ଲଢୁଆ ବିମାନ ତାଇଓ୍ବାନ ବାୟୁସୀମା ଉଲ୍ଲଙ୍ଘନ କରିଛନ୍ତି ବୋଲି ତାଇଓ୍ବାନ ଦାବି କରିଛି । ଏହା ପରେ ତାଇଓ୍ବାନରେ ହାଇଆଲର୍ଟ ଜାରି କରାଯାଇଛି ।

ସୋମବାର ରାତିରେ ଚୀନର ପ୍ରାୟ ୫୬ ଟି ଲଢୁଆ ବିମାନ ତାଇଓ୍ବାନ ସୀମାରେ ପ୍ରବେଶ କରିବା ପରେ ତାଇଓ୍ବାନର ଲଢୁଆ ବିମାନ ସେଗୁଡ଼ିକୁ ଘଉଡାଇ ଦେଇଥିଲେ । ତା ପୂର୍ବଦିନ ପ୍ରାୟ ୩୬ଟି ଚୀନ ଲଢୁଆ ବିମାନ ତାଇଓ୍ବାନ ବାୟୁସୀମାରେ ପ୍ରବେଶ କରି ପୁଣି ଫେରିଯାଇଥିଲା ।

ଚୀନର ଏହି କାର୍ଯ୍ୟ ଉତ୍ତେଜନା ସୃଷ୍ଟିକାରୀ ବୋଲି ତାଇଓ୍ବାନ କହିଥିବାବେଳେ ଆମେରିକା ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ।

ତାଇଓ୍ବାନ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଦାବି କରୁଥିବାବେଳେ ଚୀନ ଏହାକୁ ନିଜର ଅଂଚଳ ବୋଲି ଦାବି କରୁଛି । ଆଗକୁ ତାଇଓ୍ବାନର ଜାତୀୟ ଦିବସ ଥିବାରୁ ଚାଇଓ୍ବାନକୁ ଧମକାଇବାକୁ ଚୀନ ବାୟୁସେନା ଏପରି କରୁଥିବା ବିଶ୍ଲେଷକମାନେ କହୁଛନ୍ତି ।

୨୦୧୮ରେ ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ ଏକ ଭାଷଣରେ କହିଥିଲେ ଯେ ୨୦୨୫ ସୁଦ୍ଧା ତାଙ୍କ ଦେଶ ତାଇଓ୍ବାନକୁ ଅଧିକାର କରିନେବ ।

ସମ୍ବନ୍ଧିତ ଖବର