ତାଇପେଇ/ବେଜିଙ୍ଗ୍: ତାଇୱାନ୍ ପ୍ରଣାଳୀର ସ୍ପର୍ଶକାତର ମଧ୍ୟ-ରେଖା ସମେତ ତାଇୱାନ୍ ଦ୍ବୀପରେ ୧୮ଟି ଚୀନ୍ ବିମାନ ପଇନ୍ତରା ମାରିବାରୁ ଶୁକ୍ରବାର ଦିନ ତାଇୱାନ୍ କେତେକ ଲଢୁଆ ଜେଟ୍ ପ୍ରେରଣ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ଅଧିକାରୀ ତାଇପେଇରେ ବୈଠକ କରିବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।
ତାଇୱାନ୍ ଓ ଆମେରିକା ମଧ୍ୟରେ ଷଡ଼ଯନ୍ତ୍ର ଚାଲିଛି ବୋଲି କୁହାଯାଉଥିବା କଥାକୁ ବେଖାତିର କରି ତାଇୱାନ୍ ପ୍ରଣାଳୀ ନିକଟରେ ସମରାଭ୍ୟାସ ଆରମ୍ଭ କରିବ ବୋଲି ପୂର୍ବରୁ ଚୀନ୍ ଘୋଷଣା କରିଥିଲା। କାରଣ ତାଇୱାନ୍ର କିଛି ଅଞ୍ଚଳକୁ ଚୀନ୍ ନିଜର ବୋଲି ଦାବି କରିଆସୁଛି।
ପ୍ରାପ୍ତ ସୂଚନା ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକା ଅର୍ଥନୈତିକ ବ୍ୟାପାରର ଅଣ୍ଡର୍ସେକ୍ରେଟେରି କିଥ୍ କ୍ରାଚ୍ ତିନିଦିନିଆ ଗସ୍ତରେ ଆସି ଗୁରୁବାର ଦିନ ତାଇପେଇରେ ପହଞ୍ଚିଛନ୍ତି। ଏଥିପାଇଁ ଚୀନ୍ ପ୍ରତିକ୍ରିୟାଶୀଳ ହୋଇଥିବା ଜଣାପଡ଼ିଛି। ତାଇପେଇ ଓ ୱାସିଂଟନ୍ ମଧ୍ୟରେ ନିବିଡ଼ତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରି ବେଜିଙ୍ଗ୍ ତାଇୱାନ୍ ଦ୍ବୀପ ପାଖରେ ସମରାଭ୍ୟାସ ବ୍ୟାପକ କରିଛି। ଗତ ସପ୍ତାହରେ ମଧ୍ୟ ସେଠାରେ ବେଜିଙ୍ଗ୍ ଦୁଇ ଦିନ ଧରି ବଡ଼ ଧରଣର ବାୟୁ ଓ ନୌ ସମରାଭ୍ୟାସ ଚଳାଇଥିଲା।
/sambad/media/post_attachments/wp-content/uploads/2020/09/plane-2-1024x672.jpg)
ତାଇୱାନ୍ କହିଛି ଯେ, ଶୁକ୍ରବାର ଦିନ ଚୀନ୍ର ୧୮ଟି ବିମାନ ପଇନ୍ତରା ମାରୁଥିଲେ। ଇଂରାଜୀ ଭାଷାରେ ଟୁଇଟ୍ କରି ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରାଳୟ ଲେଖିଛି, ସେପ୍ଟେମ୍ବର ୧୮ରେ, ଦୁଇଟି ଏଚ୍-୬ ବୋମାବର୍ଷୀ, ଆଠଟି ଜେ-୧୬ ଫାଇଟର୍, ଚାରିଟି ଜେ-୧୦ ଫାଇଟର୍ ଏବଂ ଚାରିଟି ଜେ-୧୧ ଫାଇଟର୍ ତାଇୱାନ୍ ପ୍ରଣାଳୀର ମଧ୍ୟରେଖା ଅତିକ୍ରମ କରି ତାଇୱାନ୍ର ଦକ୍ଷିଣପଶ୍ଚିମ ଆଡିଜ୍ରେ ପ୍ରବେଶକରିଥିଲେ। ଉଭୟ ଦେଶର ଯୁଦ୍ଧ ବିମାନ ସବୁ ସାଧାରଣତଃ ଏହି ରେଖା ଅତିକ୍ରମ କରନ୍ତି ନାହିଁ।
ଚୀନ୍ ବିମାନଗୁଡ଼ିକର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବାକୁ ତାଇୱାନ୍ର ବାୟୁସେନା ‘ରୋକାଫ୍’ ତୁରନ୍ତ ଲଢୁଆ ବିମାନ ପ୍ରେରଣ କରିବା ସହ ଏୟାର୍ ଡିଫେନ୍ସ୍ ମିସାଇଲ୍ ସିଷ୍ଟମ୍ ମୁତୟନ କରିଛି। ଚୀନ୍ ଅନୁପ୍ରବେଶ ମୁକାବିଲା କରିବାକୁ କିଛି ମାସ ହେବ ତାଇୱାନ ବାୟୁସେନା ସବୁବେଳେ ଲଢୁଆ ଜେଟ୍ ପ୍ରେରଣ କରୁଛି।