ଚୀନ ଡ୍ରୋନକୁ ଗୁଳିକରି ଖସାଇଲା ତାଇଓ୍ବାନ

ତାଇପେଇ : ନିଜ ବାୟୁସୀମାରେ ଅନୁପ୍ରବେଶ କରିଥିବା ଚୀନର ଏକ ଗୁପ୍ତଚର ଡ୍ରୋନକୁ ଗୁଳି କରି ଖସାଇଦେଇଛି ତାଇଓ୍ବାନ ସେନା । ପୂର୍ବରୁ ଏଥିପାଇଁ ତାଇଓ୍ବାନ ବାରମ୍ବାର ଚେତାବନୀ ଦେଇଥିଲେ ବି ଚୀନର ଡ୍ରୋନ ଗୁଡ଼ିକ ଅନୁପ୍ରବେଶ କରି ଗୁରୁତ୍ବପୂର୍ଣ୍ଣ ସ୍ଥାନର ଫଟୋ ଉତ୍ତୋଳନ କରୁଥିଲେ ।

ଗୁରୁବାର ତାଇଓ୍ବାନ ସମୟ ଦିନ ୧୨ଟା ( ଭାରତୀୟ ସମୟ ସାଳ ସାଢେ ୯ଟା) ସମୟରେ କିନମେନ ଦ୍ବୀପ ନିକଟରେ ଅନୁପ୍ରବେଶ କରିଥିବା ଏହି ଡ୍ରୋନକୁ ତାଇଓ୍ବାନ ସେନାର କିନମେନ ଡିଫେନ୍ସ କମାଣ୍ଡ ପକ୍ଷରୁ ଗୁଳିକରି ଖସାଇଦିଆଯାଇଛି । ତାଇଓ୍ବାନ ସେନା ପକ୍ଷରୁ ପ୍ରଥମେ ଚେତାବନୀ ଦିଆଯିବା ପରେ  ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା । ଗତ ତିନିଦିନ ହେଲା ତାଇଓ୍ବାନ ସେନା ପକ୍ଷରୁ ଚୀନ ଡ୍ରୋନକୁ ଲକ୍ଷ୍ୟ କରି ଗୁଳି କରାଯାଉଛି । ବୁଧବାରଦିନ ଚୀନର ୩ଟି ଡ୍ରୋନ ଉପରକୁ ତାଇଓ୍ବାନ ସେନା ଗୁଳି ଚଳାଇଥିଲା, ତେବେ ସେଗୁଡ଼ିକ ଫେରିଯାଇଥିଲେ ।

ଏହି ଅଂଚଳରେ ଉତ୍ତେଜନା ଜାରି ରହିଥିବାବେଳେ ଚୀନର ଗୁପ୍ତଚର ଡ୍ରୋନ ଗୁଡ଼ିକ ନିୟମିତଭାବେ ତାଇଓ୍ବାନ ଉପରେ ଉଡ଼ୁଥିବାରୁ ତାଇଓ୍ବାନ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ବିଶେଷକରି ଚୀନର ଡ୍ରୋନଗୁଡ଼ିକ ତାଇଓ୍ବାନର ସାମରିକ ପ୍ରତିଷ୍ଠାନ ଓ ସେନାଛାଉଣୀ ଉପରେ ଉଡ଼ି ଫଟୋ ଉଠାଉଥିବାରୁ ତାଇଓ୍ବାନର ସୁରକ୍ଷା ପ୍ରତି ବିପଦ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ଡ୍ରୋନଗୁଡ଼ିକୁ ଦେଖିବା ମାତ୍ରେ ଗୁଳିକରି ଖସେଇଦେବାକୁ ତାଇଓ୍ବାନ ସେନା ଗତ ସପ୍ତାହରେ ନିର୍ଦ୍ଦେଶ ଦେଇଥିଲା ।

ସମ୍ବନ୍ଧିତ ଖବର