ତାଇଓ୍ବାନକୁ ଘେରିଲେ ଚୀନର ୩୦ ଲଢୁଆ ବିମାନ, ୫ ଯୁଦ୍ଧ ଜାହାଜ

ତାଇପେଈ : ଆମେରିକାର ଆଉ ଏକ ସଂସଦୀୟ କମିଟି ତାଇଓ୍ବାନ ଗସ୍ତ କରିବା ପରେ ଚୀନ ରକ୍ତମୁଖା ହୋଇଯାଇଛି । ସୋମବାର ସଂଧ୍ୟାରେ ଚୀନର ୩୦ଟି ଲଢୁଆ ବିମାନ ଓ ୫ଟି ଯୁଦ୍ଧ ଜାହାଜ ତାଇଓ୍ବାନକୁ ଘେରିଯାଇଥିବା ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

ମନ୍ତ୍ରାଳୟର ସୂଚନା ଅନୁସାରେ ତାଇଓ୍ବାନ ବାୟୁସୁରକ୍ଷା ଚିହ୍ନଟ ଜୋନ ଅତିକ୍ରମଣ କରିଥିବା ୩୦ଟି ଚୀନ ବିମାନ ମଧ୍ୟରୁ ୮ଟି ସୁଖୋଇ-୩୦ ଲଢୁଆ ବିମାନ, ୪ଟି ସେନୟାଙ୍ଗ ଜେ-୧୬ ବିମାନ, ଦୁଇଟି ସେନୟାଙ୍ଗ ଜେ-୧୧ ବିମାନ ଓ ୧୪ଟି ଅନ୍ୟ କେତେକ ଚୀନ ନିର୍ମିତ ବିମାନ ଅନ୍ତର୍ଭୁକ୍ତ । ସେହିପରି ତାଇଓ୍ବାନର ଉତ୍ତର-ପୂର୍ବ ଦିଗରେ ଚୀନର ଏକ ଜେଡି-୯ ହେଲିକପ୍ଟର ଉଡ଼ୁଥିବା ତାଇଓ୍ବାନ ଠାବ କରିଛି । ଚୀନର ମୁକାବିଲା କରିବାକୁ ତାଇଓ୍ବାନ ପକ୍ଷରୁ କେତେକ ଲଢୁଆ ବିମାନ ଓ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ରବିବାରଦିନ ସିନେଟର ଏଡ୍ ମାର୍କେଙ୍କ ନେତୃତ୍ବରେ ଏହି ୫ ଜଣିଆ ସଂସଦୀୟ ଦଳ ତାଇପେଈରେ ପହଞ୍ଚି ତାଇଓ୍ବାନର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ତାଇଓ୍ବାନର ସୁରକ୍ଷା ସଂପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକ ଅବସରରେ ତାଇଓ୍ବାନର ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଦଳ (ଡିପିପି) ସହ ଉକ୍ତ ଆମେରିକୀୟ ସାଂସଦମାନେ ଏକ ବୈଠକ କରିଥିଲେ । ଏହାକୁ ନେଇ ଚୀନ ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା ଓ ପୁଣି ଥରେ ଯୁଦ୍ଧାଭ୍ୟାସ ଆରମ୍ଭ ପାଇଁ ଧମକ ଦିଆଯାଇଥିଲା ।

 

 

ସମ୍ବନ୍ଧିତ ଖବର