୪୦ ବର୍ଷ ମଧ୍ୟରେ ତାଇଓ୍ଵାନ୍‌ରେ ଭୟାବହ ରେଳ ଦୁର୍ଘଟଣା; ୩୬ ମୃତ, ୭୨ ଆହତ

ତାଇପେଇ: ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇ ଶୁକ୍ରବାର ଦିନ ଏକ ସୁଡ଼ଙ୍ଗ ପଥ ମଧ୍ୟରେ ତାଇଓ୍ଵାନ୍‌ର ଏକ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ଅନ୍ୟୂନ ୩୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୭୨ଜଣ ଆହତ ହୋଇଛନ୍ତି। ୪୦ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱୀପଦେଶ ତାଇଓ୍ଵାନ୍‌ରେ ସବୁଠୁ ଅଧିକ ଭୟାବହ ରେଳ ଦୁର୍ଘଟଣା।

ସପ୍ତାହନ୍ତ ଛୁଟି ଅବସରରେ ଅନେକ ପର୍ଯ୍ୟଟକଙ୍କୁ ନେଇ ତାଇପେଇରୁ ତାଇତୁଙ୍ଗ୍‌ ଅଭିମୁଖେ ଯାତ୍ରା କରୁଥିବା ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି ପୂର୍ବ ତାଇଓ୍ଵାନ୍‌ର ଉତ୍ତର ହୁଆଲିଏନ୍‌ରେ ଧାରଣାରୁ ବିଚ୍ୟୁତ ହୋଇଯାଇଥିଲା ବୋଲି ତାଇଓ୍ଵାନ୍‌ ଅଗ୍ନିଶମ ବିଭାଗ କହିଛି। ପାରମ୍ପରିକ ‘ଟୁମ୍‌ ସୁଇପିଙ୍ଗ୍‌ ଡେ’ ଲାଗି ସପ୍ତାହନ୍ତ ଛୁଟି ଆରମ୍ଭ ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।

Image Courtesy of Today’s Hot spot

ଦୁର୍ଘଟଣାସ୍ଥଳରୁ ମିଳିଥିବା ଫଟୋରେ ଦେଖାଯାଉଛି ଯେ, ସୁଡ଼ଙ୍ଗ ପଥ ମଧ୍ୟରେ କେତେକ ବଗି ନଷ୍ଟ ହୋଇ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ବେଳେ ଅନ୍ୟ କେତେକ ଚେପା ହୋଇଯାଇଛି। ଫଳତଃ ଉଦ୍ଧାରକାରୀମାନେ ଯାତ୍ରୀମାନଙ୍କ ପାଖରେ ପହଞ୍ଚିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଟ୍ରେନ୍‌ରେ ପ୍ରାୟ ୩୫୦ଜଣ ଯାତ୍ରୀ ଥିଲେ ବୋଲି ଅଗ୍ନିଶମ ବିଭାଗ କହିଛି। ଟ୍ରେନ୍‌ର ପ୍ରଥମ ୪ଟି ବଗିରୁ ୮୦ରୁ ୧୦୦ ସଂଖ୍ୟକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ୫ରୁ ୮ ପର୍ଯ୍ୟନ୍ତ ବଗି ନଷ୍ଟ ହୋଇଯାଇଥିବାରୁ ସେଠାକୁ ଉଦ୍ଧାରକାରୀମାନେ ଯାଇ ପାରୁନାହାନ୍ତି।

‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ କହିବା ଅନୁସାରେ, ଠିକ୍‌ ଭାବେ ରଖାଯାଇ ନ ଥିବା ଗୋଟାଏ ଟ୍ରକ୍‌ ରେଳପଥ ଉପରକୁ ଖସି ଆସିଥିବା ସନ୍ଦେହ ହେଉଛି। ଧାରଣାଚ୍ୟୁତ ଟ୍ରେନ୍‌ ପାଖରେ ଭାଙ୍ଗିରୁଜି ଯାଇଥିବା ଟ୍ରକ୍‌ଟି ପଡ଼ିଥିବାର ଦୃଶ୍ୟ ଅଗ୍ନଶମ ବିଭାଗ ପଠାଇଥିବା ଏକ ଫଟୋରେ ଦେଖାଯାଉଛି।

ତାଇଓ୍ଵାନ୍‌ ରେଳବାଇ ପ୍ରଶାସନ କହିଛି, ଟ୍ରେନ୍‌ର ସମ୍ମୁଖ ଭାଗଟି ସୁଡ଼ଙ୍ଗ ପଥ ବାହାରକୁ ଚାଲି ଆସିଥିଲା। ସୁଡ଼ଙ୍ଗ ପଥ ଭିତରେ ଥିବା ବଗିଗୁଡ଼ିକୁ ବାହାରକୁ ଅଣାଯାଉଛି।

ସମ୍ବନ୍ଧିତ ଖବର