ତାଇଓ୍ଵାନ ଏକ ସ୍ୱାଧୀନ ଦେଶ, ଏହାକୁ ଅଧିକାର କରିବାକୁୁ ଚୀନ ଦୁଃସାହସ କଲେ ବହୁମୂଲ୍ୟ ଦେବାକୁ ପଡ଼ିବ : ତାଇଓ୍ଵାନ ରାଷ୍ଟ୍ରପତି

ତାଇପେଇ : କ୍ଷୁଦ୍ରଦେଶ ତାଇଓ୍ଵାନକୁ ନିଜ ସହ ମିଶାଇଦେବାକୁ ଉଦ୍ୟମ କରୁଥିବାରୁ ଚୀନକୁ ଚେତାବନୀ ଶୁଣାଇଛନ୍ତି ତାଇଓ୍ଵାନର ରାଷ୍ଟ୍ରପତି ସାଇ-ଇଙ୍ଗ େଓ୍ଵନ । ସେ କହିଛନ୍ତି ଯେ ତାଇଓ୍ଵାନକୁ ଅଧିକାର କରିବାର ଦୁଃସାହସ କଲେ ଚୀନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ।
ନିକଟରେ ରେକର୍ଡ ୮.୨ ନିୟୁତ ଭୋଟ ପାଇ କ୍ଷମତାକୁ ଫେରିଥିବା େଓ୍ଵନ କହିଛନ୍ତି ଯେ ତାଇଓ୍ଵାନ ଏକ ସ୍ୱତନ୍ତ୍ର ଦେଶ । ଚୀନ ଏହାର ସାର୍ବଭୌମତ୍ୱକୁ ସମ୍ମାନ ଜଣାଇବା ଆବଶ୍ୟକ । ତେବେ େଓ୍ଵନଙ୍କ ନିର୍ବାଚନକୁ ଚୀନ ଏକ ଚେତାବନୀ ସହ ସ୍ୱାଗତ କରିଛି ।
ଗତ ବର୍ଷ ତାଇଓ୍ଵାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଂ ସଂକେତ ଦେଇଥିଲେ । ଚୀନ ରାଷ୍ଟ୍ରପତି କହିଥିଲେ ଯେ ଏହି ‘ସମସ୍ୟା’କୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ । ଶାନ୍ତିପୂର୍ଣ୍ଣ ଉପାୟ ରେ ଏହା ହେଲେ ଭଲ, କିନ୍ତୁ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ ବୋଲି ସେ କହିଥିଲେ ।
୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା । କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି ।

ସମ୍ବନ୍ଧିତ ଖବର