ଚୀନର ଡ୍ରୋନ ଖସାଇବାକୁ ଏହି ‘ଗନ୍’ ବ୍ୟବହାର କରୁଛି ତାଇଓ୍ବାନ ସେନା

ତାଇପେଈ : ତାଇଓ୍ବାନ ପକ୍ଷରୁ ଚୀନର ଏକ ଗୁପ୍ତଚର ଡ୍ରୋନ ଖସାଇଦିଆଯିବା ପରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ଆହୁରି ବଢିଯାଇଛି । ଏହା ସତ୍ତ୍ବେ ଚୀନର ଆହୁରି ଅଧିକ ସଂଖ୍ୟକ ଡ୍ରୋନ ତାଇଓ୍ବାନରେ ଅନୁପ୍ରବେଶ କରୁଛନ୍ତି । ଏହା ପରେ ତାଇଓ୍ବାନ ସେନା ମଧ୍ୟ ଏସବୁ ଡ୍ରୋନଗୁଡ଼ିକ ବିରୋଧରେ ଅଭିଯାନକୁ ତୀବ୍ର କରିଛି । ଚୀନର ଡ୍ରୋନକୁ ଖସାଇବାକୁ ତାଇଓ୍ବାନ ସେନା ଏକ ସ୍ବତନ୍ତ୍ର ପ୍ରକାରର ଆଣ୍ଟି-ଡ୍ରୋନ ଗନ୍  ବ୍ୟବହାର କରୁଛି । ଏହା ଗନ ହୋଇଥିଲେ ବି ଏଥିରୁ କୌଣସି ଗୁଳି ବାହାରେ ନାହିଁ ବରଂ ଏକ ସ୍ବତନ୍ତ୍ର ଫ୍ରିକ୍ବେନ୍ସିର ଲେଜର ରଶ୍ମି ବାହାରେ । ଏହି ଗନ ଡ୍ରୋନକୁ ନିୟନ୍ତ୍ରଣ କରୁଥିବା ଗ୍ରାଉଣ୍ଡ ଷ୍ଟେସନ ଛାଡ଼ୁଥିବା ଫ୍ରିକ୍ବେନ୍ସିକୁ ଜାମ କରିଦିଏ । ଫଳରେ ଗ୍ରାଉଣ୍ଡ ଷ୍ଟେସନ ଏହି ଡ୍ରୋନ ଉପରୁ ନିୟନ୍ତ୍ରଣ ହରାଏ । ଡ୍ରୋନଟି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ତଳେ ପଡ଼ିଯାଏ ଅଥବା ଅଚଳ ହୋଇ ଘୂରିବୁଲେ ।

ଗତ ଗୁରୁବାରଦିନ ତାଇଓ୍ବାନର କିନମେନ ଦ୍ବୀପ ନିକଟରେ ଅନୁପ୍ରବେଶ କରିଥିବା ଚୀନର ଡ୍ରୋନକୁ ତାଇଓ୍ବାନ ସେନାର କିନମେନ ଡିଫେନ୍ସ କମାଣ୍ଡ ପକ୍ଷରୁ ଗୁଳିକରି ଖସାଇଦିଆଯାଇଥିଲା । ତାଇଓ୍ବାନ ସେନା ପକ୍ଷରୁ ପ୍ରଥମେ ଚେତାବନୀ ଦିଆଯିବା ପରେ  ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା ।

ଚୀନର ଡ୍ରୋନଗୁଡ଼ିକ ତାଇଓ୍ବାନର ସାମରିକ ପ୍ରତିଷ୍ଠାନ ଓ ସେନାଛାଉଣୀ ଉପରେ ଉଡ଼ି ଫଟୋ ଉଠାଉଥିବାରୁ ତାଇଓ୍ବାନର ସୁରକ୍ଷା ପ୍ରତି ବିପଦ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ଡ୍ରୋନଗୁଡ଼ିକୁ ଦେଖିବା ମାତ୍ରେ ଗୁଳିକରି ଖସେଇଦେବାକୁ ତାଇଓ୍ବାନ ସେନା ନିର୍ଦ୍ଦେଶ ଦେଇଛି ।

ସମ୍ବନ୍ଧିତ ଖବର