ଏବେ ତାଜମହଲ ଦେଖିବାକୁ କଟାଯାଉଥିବା ଟିକିଟ୍‌ ମାତ୍ର ତିନି ଘଣ୍ଟା କାଏମ ରହିବ

ନୂଆଦିଲ୍ଲୀ: ଏପ୍ରିଲ୍‌ ପହିଲାରୁ ତାଜମହଲ ପରିଦର୍ଶନ ପାଇଁ ସମୟ ସୀମା ଲାଗୁ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ନିଷ୍ପତ୍ତି ନେଇଛି ଯେ ତାଜମହଲ ପରିଦର୍ଶନ ପାଇଁ କଟା ଯାଉଥିବା ଟିକିଟ୍‌ର ସମୟ ସୀମା ମାତ୍ର ତିନି ଘଣ୍ଟା ରଖାଯିବ। ଅର୍ଥାତ୍‌ ଜଣେ ଟିକିଟ୍‌ କାଟି ମାତ୍ର ତିନି ଘଣ୍ଟା ପାଇଁ ତାଜମହଲ ପରିସର ମଧ୍ୟରେ ରହି ପାରିବେ। ଯଦି କେହି ସେଠାରେ ତିନି ଘଣ୍ଟାରୁ ଅଧିକ ସମୟ ରହିବାକୁ ଚାହିଁବେ ତାଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ। ଏହା ସମସ୍ତ ପରିଦର୍ଶକଙ୍କ ପ୍ରତି ଲାଗୁ କରାଯିବ।

ଏ ସଂକ୍ରାନ୍ତରେ ଏ ସପ୍ତାହରେ ଏଏସ୍‌ଆଇ ଏକ ପବ୍ଲିକ୍‌ ନୋଟିସ୍‌ ଜାରି କରିଛି।

ଜଣେ ଏସ୍‌ଏସ୍‌ଆଇ ଅଧିକାରୀ କହିଛନ୍ତି: ଅତିରିକ୍ତ ଦେୟ କେତେ ପଡ଼ିବ ତାହା ସ୍ଥିର କରିବାକୁ ବିଚାର ଆଲୋଚନା ଚାଲିଛି। କଟାଯାଇଥିବା ତିନି ଘଣ୍ଟା ପରେ କଟା ଯାଇଥିବା ଟିକିଟ୍‌ ଉପରେ କିଛି ଅଧିକ ଅର୍ଥ ଲାଗୁ ହେବ ନା, ପରବର୍ତ୍ତୀ ପ୍ରତି ଘଣ୍ଟା ପାଇଁ ଅର୍ଥ ଲାଗୁ କରାଯିବ ତାହା ସ୍ଥିର କରାଯିବ।

ସମୟ ସୀମିତ କରିବା ପାଇଁ ତାଜମହଲ ପରିସରକୁ ପ୍ରବେଶ କରିବା ସମୟରେ ଟିକିଟ୍‌ରେ ଷ୍ଟାମ୍ପ୍‌ ବାଡ଼ାଯିବ ଏବଂ ପ୍ରସ୍ଥାନ କରିବା ସମୟରେ ମଧ୍ୟ ଷ୍ଟାମ୍ପ୍‌ ବାଡ଼ାଯିବ। ସମୟ ସୀମା ଷ୍ଟାମ୍ପ୍‌ ଯାଞ୍ଚ କରିବାକୁ ଏବଂ ଅତିରକ୍ତ ଅର୍ଥ ହିସାବ କରିବାକୁ ଅଧିକ କର୍ମଚାରୀ ଆବଶ୍ୟକ ବୋଲି ସେ ଅଧିକାରୀ ଜଣକ କହିଛନ୍ତି।

ଅପ୍ରତ୍ୟାଶିତ ଭାବେ ଦର୍ଶକଙ୍କ ସଂଖ୍ୟ ବଢୁଥିବାରୁ ଏ ଭଳି ବ୍ୟବସ୍ଥା ଲାଗୁ କରାଯାଉଛି। ଦୈନିକ ପ୍ରାୟ ୫୦, ୦୦୦ ଦର୍ଶକ ଆସୁଥିବାରୁ ତାଜମହଲ ପରିସରରେ ସ୍ଥାନ ସଙ୍କଟ ଦେଖା ଦେଉଛି। ସୀମିତ ସ୍ଥାନ ମଧ୍ୟରେ ଦର୍ଶକମାନଙ୍କୁ ନିୟନ୍ତ୍ରଣ କରିବାକୁ ଏହା ଜରୁରୀ। କାରଣ କେତେକ ଦର୍ଶକ ଅଛନ୍ତି ଯେଉଁମାନେ ବଡ଼ି ସକାଳୁ ଆସି ସନ୍ଧ୍ୟା ବେଳେ ଏଠାରୁ ଯାଉଛନ୍ତି।

ସମ୍ପ୍ରତି ତାଜମହଲ ଟିକିଟର ମୂଲ୍ୟ ଭାରତୀୟଙ୍କ ପାଇଁ ୪୦ ଟଙ୍କା ଏବଂ ସାର୍କ ରାଷ୍ଟ୍ରବାସୀଙ୍କ ପାଇଁ ୫୩୦ ଟଙ୍କା ଏବଂ ଅନ୍ୟ ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ୧୦୦୦ ଟଙ୍କା ରଖାଯାଇଛି।

ସମ୍ବନ୍ଧିତ ଖବର