ତାଜିନ୍ଦରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କଲେ ପଞ୍ଜାବ କୋର୍ଟ

ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତାଜିନ୍ଦର ପାଲ ସିଂ ବଗ୍ଗାଙ୍କ ସମସ୍ୟା। ବଗ୍ଗାଙ୍କୁ ଗିରଫ କରିବା ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଆସନ୍ତା ୧୦ରେ ଶୁଣାଣି ହେବାକୁ ଥିବା ବେଳେ ଏବେ ବଗ୍ଗାଙ୍କ ବିରୋଧରେ ମୋହାଲି କୋର୍ଟ ଏକ ନୂତନ ୱାରେଣ୍ଟ ଜାରି କରିଛନ୍ତି। ତାଜିନ୍ଦର ପାଲ ସିଂ ବଗ୍ଗାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ମୋହାଲି କୋର୍ଟ ପଞ୍ଜାବ ପୁଲିସର ସାଇବର କ୍ରାଇମ ଶାଖାକୁ କହିଛନ୍ତି।

ଆଇପିସିର ଧାରା ୧୫୩ ଏ, ୫୦୫, ୫୦୫(୨) ଏବଂ ୫୦୬ ଅନୁଯାୟୀ ପଞ୍ଜାବ ପୁଲିସର କ୍ରାଇମ ଶାଖା ବଗ୍ଗାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ବଗ୍ଗାଙ୍କୁ ଗିରଫ କରି କୋର୍ଟରେ ଉପସ୍ଥାପନ କରିବାକୁ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି।

aajtak

ଉଲ୍ଲେଖଯୋଗ୍ୟ, ବିଜେପି ନେତା ତାଜିନ୍ଦର ପାଲ୍‌ ସିଂହ ବଗ୍ଗାଙ୍କୁ ଶୁକ୍ରବାର ଦିନ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ପଂଜାବ ପୁଲିସ ଗିରଫ କରିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍‌ ଆଦ୍‌ମି ପାର୍ଟି ବିରୋଧରେ ବଗ୍ଗା ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ପଂଜାବରେ ମାମଲା ରୁଜୁ ହୋଇଥିଲା। ଶୁକ୍ରବାର ସକାଳେ ପ୍ରାୟ ୫୦ ଜଣ ପଂଜାବ ପୁଲିସ ୧୦-୧୨ଟି ଗାଡ଼ିରେ ଆସି ବଗ୍ଗାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲେ। ଉକ୍ତ ଟିମ୍‌ ବଗ୍ଗାଙ୍କୁ ସଡ଼କପଥରେ ମୋହାଲି ନେଉଥିବା ବେଳେ ସେମାନଙ୍କୁ ହରିୟାଣା ପୁଲିସ କୁରୁକ୍ଷେତ୍ର ନିକଟରେ ଅଟକାଇଥିଲା। ହରିୟାଣା ପୁଲିସ ଅଧିକାରୀ କହିଥିଲେ ଯେ ବଗ୍ଗାଙ୍କୁ ବଳପୂର୍ବକ ତାଙ୍କ ଘରୁ ଉଠାଇ ନିଆଯାଇଥିବା ନେଇ ଦିଲ୍ଲୀ ପୁଲିସ ରିପୋର୍ଟ କରିଥିଲା। ତେଣୁ ଏହି ଘଟଣାର ଯାଞ୍ଚ ପାଇଁ ସେମାନଙ୍କୁ ଅଟକାଯାଇଥିଲା। ଦିଲ୍ଲୀରୁ ବଗ୍ଗାଙ୍କୁ ଆଣିଥିବା ପଂଜାବ ପୁଲିସର ଗାଡ଼ିଗୁଡ଼ିକୁ କୁରୁକ୍ଷେତ୍ରର ପିପଲି ଥାନା ନିଆଯାଇଥିଲା। ଏହାର କିଛି ସମୟ ପରେ ସେଠାରେ ଦିଲ୍ଲୀ ପୁଲିସ ପହଞ୍ଚିବାରୁ ହରିୟାଣା ପୁଲିସ ବଗ୍ଗାଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଥିଲା। ହେଲେ ଏବେ ମୋହାଲି କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ପୁଣି ଥରେ ଗିରଫ କରିବାକୁ ଦିଲ୍ଲୀ ଯାଇପାରେ ପଞ୍ଜାବ ପୁଲିସ।

ସମ୍ବନ୍ଧିତ ଖବର