ତାଜମହଲ ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଐତିହ୍ୟ ସ୍ଥଳ

ୟୁନେସ୍କୋର ଘୋଷଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ଥିବା ଧଳା ମୁଗୁନିପଥର ନିର୍ମିତ ସମାଧିସୌଧ ତାଜମହଲ ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଐତିହ୍ୟସ୍ଥଳ ଭାବେ ମାନ୍ୟତା ଲାଭ କରିଛି । ସମଗ୍ର ବିଶ୍ୱରେ ଅନ୍‌ଲାଇନ୍‌ ଭୋଟିଂ ମାଧ୍ୟମରେ ୟୁନେସ୍କୋ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ପୂର୍ବରୁ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏରେ ପରିଗଣିତ ହେଉଥିବା ବେଳେ ବୁଧବାର ୟୁନେସ୍କୋର ସାଂସ୍କୃତିକ ଓ ପ୍ରାକୃତିକ ବିଭାଗର ସର୍ବେକ୍ଷଣ ରିପୋର୍ଟ ତାଜମହଲକୁ ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଐତିହ୍ୟସ୍ଥଳୀ ମାନ୍ୟତା ଦିଆଯାଇଛି । ମୋଗଲ ଶାସକ ଶାହାଜାହାନ ତାଙ୍କ ପତ୍ନୀ ମୁମ୍‌ତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଥିବା ଏହି ଅସାଧାରଣ କୀର୍ତ୍ତିକୁ ଦେଖିବା ପାଇଁ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ତେବେ ୟୁନେସ୍କୋର ସଦ୍ୟ ରିପୋର୍ଟ ମୁତାବକ କାମ୍ବୋଡିଆର ଅଙ୍କୋରଓ୍ଵାଟ ଏହି ତାଲିକାର ସର୍ବାଗ୍ରେ ରହିଛି । ଅଙ୍କୋରଓ୍ଵାଟ ହେଉଛି ଦକ୍ଷିଣ-ପୂର୍ବ ଏସିଆର ସର୍ବବୃହତ୍‌ ଐତିହ୍ୟସ୍ଥଳ । ଏହା ମୂଳରୁ ଏକ ହିନ୍ଦୁ ମନ୍ଦିର ଥିବା ବେଳେ ଦ୍ୱାଦଶ ଶତାବ୍ଦୀରୁ ଏହା ଏକ ବୌଦ୍ଧସ୍ତପଭାବେ ପରିଗଣିତ ହେଉଥିବା ଐତିହାସିକମାନେ ମତବ୍ୟକ୍ତ କରିଛନ୍ତି । ଅନ୍ୟ ଐତିହ୍ୟସ୍ଥଳୀ ମଧ୍ୟରେ ୧୩ ଶହ ଶତାବ୍ଦୀରେ ନିର୍ମିତ ହୋଇଥିବା ଚୀନ୍‌ର ସବୁଠୁ ବଡ଼ ପାଚେରୀ‘ଦ ଗ୍ରେଟ ଓ୍ଵାଲ ଅଫ ଚାଇନା’ ତୃତୀୟ ସ୍ଥାନରେ ରହିଛି । ସେହିଭଳି ପେରୁସ୍ଥିତ ମାଚୁ ପେଚୁ ଚତୁର୍ଥସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର