ତାଜମହଲ ନେଇ ଥମୁନି ବିବାଦ:ନିଆଁରେ ଘିଅ ଢାଳିରେ ସ୍ୱାମୀ

ବଳପୂର୍ବକ ଅକ୍ତିଆର ହୋଇଥିବା ଜମିରେ ତାଜମହଲ ନିର୍ମାଣ ହୋଇଛି

ନୂଆଦିଲ୍ଲୀ: ବିଶ୍ୱର ମହାନ ଐତିହ୍ୟ ତାଜମହଲକୁ ନେଇ ବିବାଦୀୟ ଏବଂ ବିଭ୍ରାନ୍ତିକର ବୟାନ ଜାରି ରହିଥିବା ବେଳେ ଆଜି ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନିଆଁରେ ଘିଅ ଢ଼ାଳିବା କାମ କରିଛନ୍ତି। ସ୍ୱାମୀ କହିଛନ୍ତି ଯେ ଯେଉଁ ଜମି ଉପରେ ତାଜମହଲ ନିର୍ମାଣ କରାଯାଇଛି ତାହାକୁ ମୋଗଲ ସମ୍ରାଟ ଶାହାଜାହାନ ଜୟପୁର ରାଜାଙ୍କ ନିୟନ୍ତ୍ରଣରୁ ବଳପୂର୍ବକ ଅକ୍ତିଆର କରିଥିଲେ। ଏ ବାବଦରେ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ମହଜୁଦ ରହିଛି ବୋଲି ସ୍ୱାମୀ କହିଛନ୍ତି। ଜୟପୁରର ମହାରାଜାଙ୍କୁ ଏହି ଜମି ବିକ୍ରି କରିବା ପାଇଁ ବାଧ୍ୟ କରାଯାଇଥିଲା। କ୍ଷତିପୂରଣ ବାବଦରେ କେତେକ ଗ୍ରାମ ମଧ୍ୟ ଦିଆଯାଇଥିଲା ଯାହାକି ବଳପୂର୍ବକ ଅକ୍ତିଆର କରାଯାଇଥିବା ସମ୍ପତ୍ତି ତୁଳନାରେ କିଛି ନୁହେଁ ବୋଲି ସ୍ୱାମୀ କହିଛନ୍ତି। ଏ ବାବଦ ଦସ୍ତାବିଜ ଖୁବ୍‌ଶୀଘ୍ର ଗଣମାଧ୍ୟମକୁ ଜାରି କରାଯିବ ବୋଲି ସ୍ୱାମୀ କହିଛନ୍ତି।

ଯେଉଁ ଜମିରେ ତାଜମହଲ ନିର୍ମାଣ ହୋଇଛି ସେଠାରେ ଏକ ମନ୍ଦିର ମଧ୍ୟ ଥିଲା ବୋଲି ଦସ୍ତାବିଜରେ ଉଲ୍ଲେଖ ରହିଥିବା ସ୍ୱାମୀ କହିଛନ୍ତି। ତେବେ ମନ୍ଦିରକୁ ଭାଙ୍ଗି ତାଜମହଲ ନିର୍ମାଣ କରାଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତାଜମହଲକୁ ଭାଙ୍ଗିବା ବିଜେପିର ଉଦ୍ଦେଶ୍ୟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର, ମଥୁରାରେ କୃଷ୍ଣ ମନ୍ଦିର ଏବଂ ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ପ୍ରତ୍ୟେକ ହିନ୍ଦୁ ଚାହୁଛନ୍ତି ବୋଲି ସ୍ୱାମୀ କହିଛନ୍ତି।

ସମ୍ବନ୍ଧିତ ଖବର