୪ର୍ଥ ସେରୋସର୍ଭେ ପରେ ସରକାରଙ୍କ ସପ୍ତସୂତ୍ରୀ ନିର୍ଦ୍ଦେଶାବଳୀ, ସମ୍ପୂର୍ଣ୍ଣ ଟିକା ନେଇ ଯାତ୍ରା କର

ନୂଆଦିଲ୍ଲୀ: ସରକାରଙ୍କ ଚତୁର୍ଥ ସେରୋସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ଟିକା ନେଇ ହେଉ ବା ସଂକ୍ରମଣ ପରେ ହେଉ ଭାରତର ପ୍ରାୟ ୬୭.୬ ପ୍ରତିଶତ ଲୋକଙ୍କ ଦେହରେ ସାର୍ସ-କୋଭ୍-୨ ବିରୋଧୀ ଆଣ୍ଟିବଡ଼ି ତିଆରି ହୋଇଛି। ଅର୍ଥାତ୍ ତୃତୀୟ ଲହର ନେଇ ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅର୍ଦ୍ଧାଧିକ ଭାରତୀୟଙ୍କ ଭିତରେ ଆବଶ୍ୟକ କୋଭିଡ୍‌-ପ୍ରତିରୋଧୀ କ୍ଷମତା ରହିଛି। ଏହି ପରିପ୍ରେକ୍ଷୀରେ ବସ୍ ବା ଟ୍ରେନ୍ ଆଦିରେ ଯାତ୍ରାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସପ୍ତସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଏବଂ କୁହାଯାଇଛି ଯେଉଁମାନେ ସମ୍ପୂର୍ଣ୍ଣ ଦୁଇ ଡୋଜ୍ ଟିକା ନେଇ ନାହାନ୍ତି, ସେମାନେ ଦୂରଯାତ୍ରା କରନ୍ତୁ ନାହିଁ।

ସରକାରଙ୍କ ଉକ୍ତ ସପ୍ତସୂତ୍ରୀ ନିର୍ଦ୍ଦେଶାବଳୀ ହେଉଛି: ୧) ନିଜେ ଭଲ ଥିବା ନେଇ ଆତ୍ମସନ୍ତୋଷର କୌଣସି ମୂଲ୍ୟ ନାହିଁ : ସପ୍ତମ ସେରୋସର୍ଭେ ଆଶା ସଂଚାର କରିଛି, ମାତ୍ର ଏବେ ବି ୩୨ ପ୍ରତିଶତ ଲୋକ ସୁରକ୍ଷିତ ନୁହନ୍ତି। ୨) ଜିଲ୍ଲାଭିତ୍ତିକ ଆକଳନ ନୁହେଁ : ସେରୋସର୍ଭେ ଯେଉଁ ରିପୋର୍ଟ ଦେଇଛି ତାହା ସ୍ଥାନୀୟ ବା ଜିଲ୍ଲାଭିତ୍ତିକ ପରିସ୍ଥିତିର ଆକଳନ ନୁହେଁ ବରଂ ତାହା ବିହଙ୍ଗ ଦୃଷ୍ଟି ପରି ଦେଶର ସାମଗ୍ରିକ ରୋଗପ୍ରତିରୋଧକ କ୍ଷମତାର ହାରାହାରି ଆକଳନ ମାତ୍ର। ୩) ରାଜ୍ୟସ୍ତରୀୟ କାର୍ଯ୍ୟାନୁଷ୍ଠାନ ଲୋଡ଼ା : ରାଜ୍ୟଗୁଡ଼ିକ ଜିଲ୍ଲାଭିତ୍ତିକ ବା ଆଞ୍ଚଳିକ ସେରୋସର୍ଭେ କରିବା ଉଚିତ, ଯାହାଫଳରେ କେଉଁ ଅଞ୍ଚଳର କେତେ ଲୋକଙ୍କ ଭିତରେ କୋଭିଡ୍‌-ପ୍ରତିରୋଧୀ କ୍ଷମତା ଅଛି ତାହା ଜାଣିପାରିବେ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ୪) ତୃତୀୟ ଲହର ସମ୍ଭବ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେର ପୂର୍ବାନୁମାନ ଅନୁଯାୟୀ କୋଭିଡ୍-୧୯ର ପରବର୍ତ୍ତୀ ଲହର ଆସିବାର ସମ୍ଭାବନା ଅଛି।

କାରଣ କେତେକ ରାଜ୍ୟରେ ପ୍ରତିରୋଧକ କ୍ଷମତାର ସ୍ତର ବହୁତ ଅଧିକ ଥିବା ବ‌େଳେ ଆଉ କେତେକ ରାଜ୍ୟରେ ବହୁତ କମ୍ ଅଛି। ଯେଉଁସବୁ ରାଜ୍ୟରେ ଇମ୍ୟୁନିଟିର ସ୍ତର ବହୁତ କମ୍ ରହିଛି, ସେଠାରେ ତୃତୀୟ ଲହର ଆସିବାର ଅଧିକ ଆଶଙ୍କା ରହିଛି। ୫) ଅଣ-ଜରୁରୀ ଯାତ୍ରା ମନା : ଜୁଲାଇ ପ୍ରଥମ ସପ୍ତାହରେ ବିଭିନ୍ନ ରାଜ୍ୟ କୋଭିଡ୍ କଟକଣା କୋହଳ କରିବା ପରେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସମେତ ବଜାରଘାଟରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି। କେନ୍ଦ୍ର ସରକାର ତାଗିଦ କରିବାରୁ ରାଜ୍ୟଗୁଡ଼ିକ ପୁଣି କେତେକ କଟକଣା ଲାଗୁ କରିଛନ୍ତି। ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଯେ ଅଣ-ଜରୁରୀ ଯାତ୍ରା ବା ଯାତାୟାତକୁ ନିରୁତ୍ସାହିତ କରାଯିବା ଉଚିତ। ୬) ସମାବେଶ ନ କରିବା ଭଲ : କେତେକ ରାଜ୍ୟ ସରକାର ଲୋକମାନେ ଏକାଠି ହେବା ବା ସମାବେଶ କରିବା ଉପରୁ କଟକଣା କୋହଳ କରିଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ କୌଣସି ପ୍ରକାର ସାମାଜିକ, ଧାର୍ମିକ ବା ରାଜନୈତିକ ସମାବେଶ ନ କରିବା ଉଚିତ। ୭) ସମ୍ପୂର୍ଣ୍ଣ ଟିକା ନେଇଥିଲେ ଯାତ୍ରା କରନ୍ତୁ : ସରକାର ସମ୍ପୂର୍ଣ୍ଣ ଟିକା ନେବା ବା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦୁଇ ଡୋଜ୍ ଟିକା ନେବା ଉପରେ ଗୁରୁତ୍ବ ଦେଇଛନ୍ତି। ଯେଉଁମାନଙ୍କର ଜରୁରୀ ଆବଶ୍ୟକତାରେ ଗାଡ଼ିଘୋଡ଼ାରେ ବାହାରକୁ ଯାତ୍ରା କରିବାର ଅଛି, ସେମାନେ ଦୁଇ ଡୋଜ୍ ଟିକା ନେବା ପରେ ହିଁ ଯାତ୍ରା କରନ୍ତୁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନିୟନ୍ତ୍ରିତ ଭାବରେ ଲୋକଗହଳି ହେବା ଏବଂ କେତେକ ଅଞ୍ଚଳରେ କୋଭିଡ୍ ପରିସ୍ଥିତି ନ ସୁଧୁରିବା ଦେଖି କେତେକ ରାଜ୍ୟ ସରକାର ନିଜ ରାଜ୍ୟକୁ ପ୍ରବେଶ କରିବା ପୂର୍ବରୁ ପ୍ରବାସୀମାନଙ୍କ ନେଗେଟିଭ୍ ଆର୍‌ଟି-ପିସିଆର୍ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି।

ସମ୍ବନ୍ଧିତ ଖବର