ମୋଦିଙ୍କୁ ମହିଳାଙ୍କ ପ୍ରଶ୍ନ : ‘ଯଦି ଆପଣ ଚୌକିଦାର, ତା’ହେଲେ ମୋ ପୁଅ କେଉଁଠି କହନ୍ତୁ?’

ନୂଆଦିଲ୍ଲୀ : ୨୦୧୯ର ଲୋକସଭା ନିର୍ବାଚନରେ ନିଜର ସ୍ଥାନ ଅକ୍ତିଆର କରିବା ପାଇଁ ବିଜେପି ସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛି । କିପରି ଭୋଟର୍‌ଙ୍କୁ କିଣାଯିବ, ସେ ନେଇ ଏବେ ସବୁ ଦଳ ପ୍ରୟାସ ଜାରି କରି ସାରିଛି । ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ, ପର୍ଯ୍ୟାୟ ଏବଂ ଫଳାଫଳର ତାରିଖ ଘୋଷଣା କରିବା ପରେ ଏବେ ସବୁ ଦଳ ପ୍ରାର୍ଥୀଚୟନରେ ବ୍ୟସ୍ତ ରହିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ଶନିବାର ମେଁ ଭି ଚୌକିଦାର ହୁଁ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ । ଯାହା ପରେ ପରେ ଟୁଇଟ୍‌ରରେ ମୋଦିଜୀଙ୍କ ସମେତ ବିଜେପିର ଅନେକ ପ୍ରମୁଖ ନେତା ନିଜ ନାଁ ଆଗରେ ଚୌକିଦାର ଲେଖିଥିବା ଦେଖା ଯାଇଛି । ଏହି ଅଭିଯାନ ଆରମ୍ଭ ହେବା ପରେ ଜେଏନ୍‌ୟୁ ଛାତ୍ରଙ୍କ ମା’ ମୋଦିଜୀଙ୍କୁ ଟ୍ରୋଲ କରିଥିବା ଦେଖା ଯାଇଛି ।

ସନ୍ଦିଗ୍ଧ ପରିସ୍ଥିତିରେ ଜେଏନ୍‌ୟୁରୁ ନିଖୋଜ ହୋଇ ଯାଇଥିବା ଛାତ୍ର ନଜୀବ ଅହମ୍ମଦଙ୍କ ମା’ ଫାତିମା ନଫିସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟୁଇଟ୍‌ କରି, “ଯଦି ଆପଣ ଚୌକିଦାର, ତେବେ ମୋ ପୁଅ କେଉଁଠି କହନ୍ତୁ ?ଏବିଭିପିର ଅଭିଯୁକ୍ତକୁ ଗିରଫ କ’ଣ ପାଇଁ କରାଯାଉ ନାହିଁ? କାହିଁକି ଦେଶର ୩ଟି ମୁଖ୍ୟ ଏଜେନ୍ସି ମୋ ପୁଅକୁ ଖୋଜିବାରେ ଅସଫଳ ହେଲେ?” ବୋଲି ଲେଖି ପ୍ରଶ୍ନ କରିଛନ୍ତି ।

ସୂଚନା ମୁତାବକ, ଜେଏନ୍‌ୟୁରେ ପଢ଼ୁଥିବା ନଜୀବ ୨୦୧୬ରୁ ନିଖୋଜ ଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ୩ଟି ମୁଖ୍ୟ ତଦନ୍ତକାରୀ ଦଳ ଖୋଜି ପାଇ ନାହାନ୍ତି ।

ସମ୍ବନ୍ଧିତ ଖବର