କୋଭିଡ଼ ପାଇଁ ବିଳମ୍ବିତ ହେବ ତାଳଚେର କାରଖାନା

ଚୀନ୍‌ର ଉହାନ କମ୍ପାନି ପାଇଛି ୭୯୦୦ କୋଟି ଟଙ୍କାର ଠିକା
ଠିକା ପ୍ରକ୍ରିୟାର ତଥ୍ୟ ମାଗିଲା ସଂସଦୀୟ କମିଟି

ନୂଆଦିଲ୍ଲୀ : କରୋନା ପାଇଁ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମରେ ବିଳମ୍ବିତ ହେବ। ସାର କାରଖାନାର ପୁନଃଉଦ୍ଧାର ପ୍ରସଙ୍ଗ ତଥା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଗତକାଲି ଲୋକସଭାରେ ରସାୟନ ଓ ଉର୍ବରକ ସଂପର୍କୀତ ସଂସଦୀୟ ଷ୍ଟାଣ୍ଡିଂ କମିଟି ପ୍ରଶ୍ନ ଉପସ୍ଥାପନବେଳେ ଏହା ସ୍ପଷ୍ଟ ହୋଇଛି। ପାଖାପାଖି ୭୯୦୦ କୋଟି ଟଙ୍କାର କୋଲ୍ ଗେସିଫିକେସନ ଏବଂ ଆମୋନିଆ ୟୁରିଆ ପ୍ଲାଣ୍ଟ ନିର୍ମାଣର ଠିକା କାର୍ଯ୍ୟ ଚୀନ୍‌ର ଉହାନ କଂପାନିକୁ ପ୍ରଦାନ କରାଯିବାର ଚୟନ ପ୍ରକ୍ରିୟା, ଚୁକ୍ତିର ସର୍ତ୍ତ ଆଦି ସବିଶେଷ ତଥ୍ୟ ସମ୍ପର୍କରେ କମିଟି ମନ୍ତ୍ରାଳୟ ନିକଟରୁ ଜାଣିବା ପାଇଁ ଚାହିଁଛି।

ସାଂସଦ କାନିମୋଜୀ କରୁଣାକରନଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ବାରା ଲୋକସଭାରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ତାଳଚେର ସାର କାରଖାନା ପୁନଃରୁଦ୍ଧାର ପ୍ରସଙ୍ଗ ଉଲ୍ଲେଖ ରହିଛି। କୋଭିଡ୍- ୧୯ ମହାମାରୀ ପରେ ଉପୁଜିଥିବା ସ୍ଥିତି ତଥା ବିଶେଷଭାବେ ଠିକାଗୁଡିକ ସ୍ଥିତି ସଂପର୍କରେ କମିଟି ଜାଣିବା ପାଇଁ ଚାହିଁଛି। ପ୍ରକଳ୍ପର ସମୁଦାୟ ମୂଲ୍ୟ ୧୩,୨୨୭ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସଂଶୋଧିତ ବିସ୍ତୃତ ଫିଜିବିଲିଟି ରିପୋର୍ଟ (ଡିଏଫ୍ଆର୍)ରେ ଦଶ ପ୍ରତିଶତ ମୂଲ୍ୟରେ ବୃଦ୍ଧି ହୋଇଛି। ଯାହା ପୁନରୁଦ୍ଧାର ହେଉଥିବା ଅନ୍ୟ ୪ଟି ସାର କାରଖାନା ତୁଳନାରେ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟ ୪ଟି ସାର କାରଖାନାର ମୂଲ୍ୟ ୭୦୦୦ ରୁ ୭୧୦୦ କୋଟି ମଧ୍ୟରେ ରହିଛି। ସେପ୍ଟେମ୍ବର ୨୦୨୩ରୁ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରହିଛି। ହେଲେ କୋଭିଡ କଟକଣା କାରଣରୁ କାରଖାନା କାର୍ଯ୍ୟକ୍ଷମ ହେବାକୁ ଛଅରୁ ନଅମାସ ବିଳମ୍ବ ହୋଇପାରେ ବୋଲି ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର