କାବୁଲ: ଡ୍ରୋନ୍ ଆକ୍ରମଣରେ ଅଲ୍ କାଏଦାର ମୁଖ୍ୟ ଅଲ୍ ଜବାହିରି ନିପାତ ହୋଇଛି ବୋଲି କିଛିଦିନ ତଳେ ଆମେରିକା ଦାବି କରିଥିଲା | ତେବେ ଏହି ପ୍ରସଙ୍ଗକୁ ନେଇ ଏବେ ତାଲିବାନ ସନ୍ଦେହ ପ୍ରକାଶ କରିଛି | ତାଲିବାନ ଏହା ଉପରେ ପ୍ରଶ୍ନ ଉଠାଇ କହିଛି ଯେ ଆମେ ଏପର୍ଯ୍ୟନ୍ତ ଜବାହିରିର ମୃତଦେହ ପାଇ ନାହୁଁ। ତାଲିବାନ କହିଛି ଯେ ଆମେ ନିରନ୍ତର ଅନୁସନ୍ଧାନ କରୁଛୁ, କିନ୍ତୁ ଅଲ-କାଏଦା ନେତାଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ। ଉଲ୍ଲେଖ ଥାଉ କି ଆମେରିକା ଦାବି କରିଥିଲା ଯେ ଏୟାର ଷ୍ଟ୍ରାଇକ କରାଯାଇ ଜବାହିରିକୁ ହତ୍ୟା କରିଛି। ୭୧ ବର୍ଷୀୟ ଅଲ୍ ଜବାହିରିକୁ କାବୁଲ୍ ସ୍ଥିତ ତା’ ବାସଭବନର ବାଲକୋନିରେ ହିଁ ଡ୍ରୋନ୍ ଆକ୍ରମଣ କରି ନିପାତ କରାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଥିଲେ । ଆତଙ୍କବାଦୀ ଯେଉଁଠି ଲୁଚିଲେ ବି ଆମେରିକା ଖୋଜି ଖୋଜି ନିପାତ କରିବା ସୁନିଶ୍ଚିତ ବୋଲି ବାଇଡେନ ଗଣମାଧ୍ୟମକୁ କହିଥିଲେ ।
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ମୁଖ୍ୟ ଆୟମାନ-ଜବାହିରିକୁ ବଧ କରିବା ପାଇଁ ଆମେରିକା ହେଲ୍ଫାୟାର୍ ଆର୍୯ଏକ୍ସ ବ୍ୟବହାର କରିଥିଲା ବୋଲି କୁହାଯାଇଥିଲା | ଏହା ଏମିତି ଏକ ଆକ୍ରମଣ ଥିଲା କେବଳ ନିର୍ଦ୍ଦିଷ୍ଟ ଶତ୍ରୁ ନିପାତ ହୋଇଥାନ୍ତି, କୌଣସି ବିସ୍ଫୋରଣ ଘଟେ ନାହିଁ, ପରିବେଶର କ୍ଷତି ହୁଏ ନାହିଁ କିମ୍ବା ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟେ ନାହିଁ | ଆଉ ଏହି କୌଶଳ ବ୍ୟବହାର କରି ଜବାହିରିର ନିପାତ କରାଯାଇଥିଲା ବୋଲି କୁହାଯାଇଥିଲା |
ତେବେ ବର୍ତ୍ତମାନ ତାଲିବାନ ଏହାକୁ ନେଇ ପ୍ରଶ୍ନ ଉଠାଇଛି | ଓସାମା ବିନ୍ ଲାଦେନଙ୍କ ହତ୍ୟା ପରେ ଏହା ଆମେରିକାର ଦ୍ୱିତୀୟ ବୃହତ୍ତମ ଅପରେସନ ଥିଲା ଯେଉଁଥିରେ ଆତଙ୍କବାଦୀକୁ ନିପାତ କରାଯାଇଥିବା ଦାବି କରାଯାଇଥିଲା। ଉଲ୍ଲେଖ ଥାଉ କି ଅତୀତରେ ଜବାହିରିକୁ ଅନେକ ଥର ହତ୍ୟା କରାଯିବାର ଦାବି ହୋଇଆସୁଥିଲା, କିନ୍ତୁ ପ୍ରତ୍ୟେକ ଥର ସେ ଅଡିଓ କିମ୍ବା ଭିଡିଓ ରିଲିଜ୍ କରି ଆସୁଥିଲା। ତେବେ ଏଥର ସେପରି କୌଣସି ଅଡିଓ କିମ୍ବା ଭିଡିଓ ଆସିନଥିବାରୁ ଆମେରିକାର ଦାବିକୁ ଠିକ ବୋଲି ବିବେଚନା କରାଯାଉଛି |