ପଞ୍ଜଶୀରରେ ତାଲିବାନ ଆକ୍ରମଣ: ୮ ତାଲିବାନ ଆତଙ୍କବାଦୀ ନିପାତ

କାବୁଲ: ତାଲିବାନ ବିରୋଧୀ ନେତା ଅହମଦ ମସୋଦଙ୍କ ନେତୃତ୍ବରେ ପଞ୍ଜଶୀରରେ ଏବେ ତାଲିବାନ ସହ ଲଢ଼େଇ ଜାରି ରହିଛି। ମସୋଦଙ୍କ ମୁଖପାତ୍ର ଫାହିମ ଦସ୍ତି କହିଛନ୍ତି, ଗତ ରାତିରେ ତାଲିବାନମାନେ ପଞ୍ଜଶୀରରେ ଆକ୍ରମଣ କରିଥିଲା ଏବଂ ବିରୋଧୀ ଗୋଷ୍ଠୀର ଜବାବୀ ଆକ୍ରମଣରେ ୮ ଜଣ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି। ତାଲିବାନ ବିରୋଧୀ ଗୋଷ୍ଠୀର କିଛି ସଦସ୍ୟ ମଧ୍ୟ ଗତକାଲିର ସଂଘର୍ଷ ସମୟରେ ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ଆମେରିକା ସେନା କାବୁଲ ବିମାନବନ୍ଦର ଛାଡ଼ିବାପରେ ତାଲିବାନମାନେ ପଞ୍ଜଶୀର ଆକ୍ରମଣ କରିଥିଲେ। ରବିବାର ଦିନ ତାଲିବାନମାନେ ପଞ୍ଜଶୀରରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଥିଲେ। ପଞ୍ଜଶୀର ଏକମାତ୍ର ଆଫଗାନିସ୍ତାନ ପ୍ରଦେଶ ଯାହା ଏଯାବତ ତାଲିବାନ ଅକ୍ତିଆର କରିପାରିନି। ଏକାଧିକ ତାଲିବାନ ପ୍ରତିଦ୍ବନ୍ଦ୍ବୀମାନେ ପଞ୍ଜଶୀରରେ ଏକଜୁଟ ହୋଇଛନ୍ତି। ନିଜକୁ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଘୋଷଣା କରିଥିବା ଅମରୁଲ୍ଲା ସଲେହଙ୍କ ସହ ଆଫଗାନ ବିଦ୍ରୋହ କମାଣ୍ଡ ଅହମଦ ଶାହ ମସୋଦ ଏବେ ପଞ୍ଜଶୀରରେ ଅଛନ୍ତି। ଫାହିମ କହିଛନ୍ତି, ଆମେ କେବଳ ପଞ୍ଜଶୀର ପାଇଁ ନୁହେଁ ସମଗ୍ର ଆଫଗାନିସ୍ତାନ ପାଇଁ ଲଢ଼ୁଛୁ। ତାଲିବାନ ବାହିନୀ କେବେ ବି ଏକ ରାଷ୍ଟ୍ରର ମଙ୍ଗଳ କରିପାରିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର