ପୁଣି ରକ୍ତମୁଖା ହେଲା ତାଲିବାନ, ଆତ୍ମଘାତୀ ଆକ୍ରମଣରେ ୩୦ ଆଫଗାନ ସୁରକ୍ଷାକର୍ମୀ ନିହତ

କାବୁଲ : ତାଲିବାନ ଓ ଆଫଗାନ ସେନା ମଧ୍ୟରେ ଅସ୍ତ୍ରବିରତି ସମୟ ଶେଷ ହେବା ପରେ ରକ୍ତମୁଖା ହୋଇପଡିଛି ତାଲିବାନ । ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ ଆଫଗାନ ସେନା ଉପରେ ଆଜି କରାଯାଇଥିବା ପୃଥକ ପୃଥକ ଆକ୍ରମଣରେ ମୋଟ ୩୦ ଜଣ ସେନା ଅଧିକାରୀ ଓ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ଏହାକୁ ନିକଟ ଇତିହାସରେ ଏକ ବଡ଼ ଧରଣର ଆକ୍ରମଣ ବୋଲି କୁହାଯାଉଛି ।

ତାଲିବାନ ଆତଙ୍କବାଦୀମାନେ ଆଫଗାନ ସେନାର ଏକ ପାଟ୍ରୋଲିଂ ଗ୍ରୁପ ଉପରେ ଆକ୍ରମଣ କରିଛନ୍ତି । ଏହା ସହିତ ରାତିରେ ଏକ ସେନା ଶିବିର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଆଫଗାନିସ୍ତାନର ବାଦଗିସ୍‌ ରାଜ୍ୟର ଗଭର୍ଣ୍ଣର ଅବଦୁଲ କଫୁର ମଲ୍ଲିକଜାଇ କହିଛନ୍ତି । ତାଲିବାନ ପକ୍ଷରୁ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରାଯାଇଛି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ହ୍ଵାଟ୍ସଆପ ମେସେଜ ମାଧ୍ୟମରେ ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ରମଜାନ ମାସ ଓ ଇଦ ପର୍ବ ଉପଲକ୍ଷେ ତାଲିବାନ ଓ ଆଫଗାନ ସେନା ମଧ୍ୟରେ ଏକ ତିନିଦିନିଆ ଅସ୍ତ୍ରବିରତି ହୋଇଥିଲା । ଇଦ୍‌ ପରଦିନ ହିଁ ଏହି ସମୟସୀମା ଶେଷ ହୋଇଥିଲା । ଗତ ରବିବାର ଦିନ ଜଲାଲାବାଦରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହେବା ପରେ ୧୫ ଜଣ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର