ଭାରତୀୟ ଦୂତାବାସରେ ଭଙ୍ଗାରୁଜା, ଦସ୍ତାବିଜ୍‌ ଖୋଜିଲେ, ଯାନବାହନ ନେଇ ପଳାଇଲେ ତାଲିବାନ୍‌

୨୮୦ ଭାରତୀୟ ମହିଳା, ଶିଶୁ ଉଦ୍ଧାର ଅପେକ୍ଷାରେ

ନୂଆଦିଲ୍ଲୀ : ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ ତାଲିବାନ୍‌ ଚଢ଼ଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛି। କାନ୍ଦାହାର ଏବଂ ହେରାତ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ ଥିବାବେଳେ ତାଲିବାନ୍‌ ଆତଙ୍କବାଦୀ ତାଲା ଭାଙ୍ଗି ପଶିଥିଲେ ଏବଂ କୌଣସି ଦସ୍ତାବିଜ ଅଛି କି ନାହିଁ ତଲାସ କରିଥିଲେ। ଭାରତୀୟ ଦୂତାବାସରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ଆତଙ୍କବାଦୀ ନେଇଯାଇଛନ୍ତି। ଦୂତାବାସକୁ କୌଣସି କ୍ଷତି ପହଞ୍ଚାଯିବ ନାହିଁ ବୋଲି ତାଲିବାନ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ହଠାତ୍‌ ଜଲାଲାବାଦ୍‌ ଏବଂ କାବୁଲ୍‌ ସ୍ଥିତ ଭାରତୀୟ ଦୂତାବାସରେ ଚଢ଼ଉ କରିବା ପଛର ଉଦ୍ଦେଶ୍ୟ କ’ଣ ଜଣାପଡ଼ିନି। ଚଳିତ ସପ୍ତାହରେ ତାଲିବାନ୍‌ କାବୁଲ ସ୍ଥିତ ଭାରତୀୟ ଦୂତାବାସରୁ କର୍ମଚାରୀଙ୍କୁ ଖାଲି ନକରିବା ପାଇଁ କହିଥିଲା।

୨୮୦ ଭାରତୀୟ ମହିଳା, ଶିଶୁ ଉଦ୍ଧାର ଅପେକ୍ଷାରେ; କାବୁଲ୍‌ରୁ ଏସ୍‌ଓଏସ୍‌ ପଠାଇଲେ
କାବୁଲ୍‌ : କାବୁଲ୍‌ରେ ୩ ଶହରୁ ଅଧିକ ଭାରତୀୟ ଫସି ରହିଥିବାବେଳେ ତୁରନ୍ତ ଉଦ୍ଧାର ପାଇଁ ସେମାନେ କାବୁଲ୍‌ରୁ ଏସ୍‌ଓଏସ୍‌ ପଠାଇଛନ୍ତି। ଭାରତମାନେ ବିମାନବନ୍ଦର ନିକଟସ୍ଥ ଏକ ବିବାହ ହଲ୍‌ରେ ଆଶ୍ରୟ ନେଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। କାବୁଲରେ ଫସିଥିବା ସୟଦ ଅବିଦ ଖାନ୍ ନାମକ ଜଣେ ଭାରତୀୟ ଏହି ନାଗରିକଙ୍କ ଫଟୋ ସେୟାର କରିଛନ୍ତି। ପ୍ରାୟ ୨୮୦ ମହିଳା ଏବଂ ଶିଶୁ କାବୁଲ୍‌ ସ୍ଥିତ ଏକ ବିବାହ ହଲ୍‌ରେ ରହିଛନ୍ତି। ଇତି ମଧ୍ୟରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଫଗାନିସ୍ତାନରେ ଫସିଥିବା ଭାରତୀୟ ନାଗରିକମାନେ ‘ସ୍ବତସ୍ତ୍ର ଆଫଗାନିସ୍ତାନ ବିଭାଗ’ ସହ ଯୋଗାଯୋଗ କରିବାପାଇଁ କୁହାଯାଇଛି। ଆଫଗାନିସ୍ତାନରେ ଭାରତୀୟଙ୍କୁ ସହଯୋଗ କରିବାପାଇଁ ଏହି ବିଭାଗ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର