ଇସଲାମାବାଦ: ପାକିସ୍ତାନର ତେହରିକ ଏ ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନ ସୀମା ନିକଟସ୍ଥ ଖାଇବର ପଖତୁନ୍ଖ୍ବା ପ୍ରଦେଶରେ ଥିବା ଆଫଗାନିସ୍ତାନର ୨ଟି ସୁରକ୍ଷା ଚେକ୍ପଏଣ୍ଟ୍କୁ ନିଜ ଅକ୍ତିଆରକୁ ନେଇଯାଇଛି। ଏହି ଅଂଚଳର ୩ଟି ଗ୍ରାମକୁ ମଧ୍ୟ ସେମାନେ ନିଜ ନିୟନ୍ତ୍ରଣକୁ ନେଇଥିବା ଜଣାପଡ଼ିବା ପରେ ପାକିସ୍ତାନ ସେନା ବଡ଼ ଅପରେସନ ପାଇଁ ପ୍ରସ୍ତୁତ ହେଉଛି। ବାମ୍ବୋରେଟ୍ ଭ୍ୟାଲିର ଜଞ୍ଜରିତ କୋ, ଉସ୍ତୋଇ ଏବଂ ଉସୁଲ୍ ଅଞ୍ଚଳରେ ଆତଙ୍କବାଦୀମାନେ ଆଜି ବଡ଼ି ଭୋର ସମୟରେ ଆକ୍ରମଣ ଆରମ୍ଭ କରିଛନ୍ତି। ପାକିସ୍ତାନର ତେହରିକ ଏ ତାଲିବାନ କହିଛି, ପାକିସ୍ତାନ ସେନାର ୨ଟି ଚେକ୍ପଏଣ୍ଟକୁ ସେମାନେ ସଂପୂର୍ଣ୍ଣ ଦଖଲ କରିଛନ୍ତି।
ସେମାନେ ଚେକପୋଷ୍ଟ୍ ଦଖଲ କରିବା ସହ ସମସ୍ତ ଅସ୍ତ୍ରଶସ୍ତ୍ର ମଧ୍ୟ ହାସଲ କରିଥିବା ତେହରିକ ଏ ତାଲିବାନ ମୁଖପାତ୍ର ମହମ୍ମଦ ଖୁରାସାନି କହିଛି। ଏହି ଆକ୍ରମଣରେ ଅନେକ ପାକ୍ ସୈନିକ ନିହତ ହୋଇଥିବା ରିପୋର୍ଟ ମିଳିଛି। ତେବେ ପାକିସ୍ତାନ ସେନା ପକ୍ଷରୁ କୌଣସି ବିବୃତି ଜାରି ହୋଇନାହିଁ। ଆଜି ଭୋର୍ ସମୟରେ ଏହି ଘଟଣା ଘଟିଛି। ପାକିସ୍ତାନରେ ତେହରିକ ଏ ତାଲିବାନର ବିଶାଳ ନେଟ୍ୱର୍କ ରହିଥିବାରୁ ଦେଶ ଭିତରେ ବି ବଡ଼ ଆତ୍ମଘାତୀ ଆକ୍ରମଣ ସମ୍ଭାବନା ରହିଛି। ଏଥିପାଇଁ ପ୍ରମୁଖ ସହରଗୁଡ଼ିକରେ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ।