ଆମେରିକା ସେନା ଆଫଗାନିସ୍ତାନ୍‌ ଛଡ଼ିବା ପରେ ପଞ୍ଜଶିର ଆକ୍ରମଣ କଲା ତାଲିବାନ୍‌; ୭/୮ ତାଲିବାନ୍ ଲଢୁଆ ନିହତ

ନୂଆଦିଲ୍ଲୀ: ସୋମବାର ରାତ୍ରରେ ପଞ୍ଜଶିରରେ ହୋଇଥିବା ଯୁଦ୍ଧରେ ସାତଆଠଜଣ ତାଲିବାନ୍ ଲଢୁଆ ନିହତ ହୋଇଥିବା କଥା ତାଲିବାନ୍‌ ପ୍ରତିରୋଧକାରୀ ଆନ୍ଦୋଳନର ନେତୃତ୍ବ ନେଇଥିବା ଅହମଦ୍‌ ମାସୌଦଙ୍କ ମୁଖପାତ୍ର ଫହିମ୍ ଦସ୍ତି କହିଛନ୍ତି।

ଦସ୍ତି କହିଛନ୍ତି, ଆଫଗାନିସ୍ତାନର ପଞ୍ଜଶିରରେ ତାଲିବାନ୍ ବିରୋଧରେ ଶେଷ ବିରୋଧ ପ୍ରଦର୍ଶନ କରୁଥିବା ‘ପ୍ରତିରୋଧକାରୀ ଫୌଜ’ ଉପରେ ସୋମବାର ରାତ୍ରରେ ତାଲିବ୍‌ମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ-ପ୍ରତିଆକ୍ରମଣ ଘଟଣାରେ ଉଭୟ ପକ୍ଷର ଅନେକ ଲଢୁଆ କ୍ଷତାକ୍ତ ହେବା ସହ ସାତଆଠଜଣ ତାଲିବାନ୍‌ ଲଢୁଆ ନିହତ ହୋଇଛନ୍ତି।

Image Courtesy of India Today

ଆମେରିକାର ଦୀର୍ଘତମ ଯୁଦ୍ଧ ଭାବେ ବିଦିତ ’୨୦ ବର୍ଷ ଆଫଗାନ୍ ଯୁଦ୍ଧ’ର ଅବସାନ ଘଟାଇ ଗତ ମଧ୍ୟରାତ୍ରୀରେ ଯୁକ୍ତରାଷ୍ଟ୍ର ଆମେରିକାର ସେନାବାହିନୀ ସେଠାରୁ ଚିର ବିଦାୟ ନେବା ପରେ ପରେ ପଞ୍ଜଶିରରେ ଏଭଳି ଘଟଣା ଘଟିଛି।

Image Courtesy of India Today

ଏପର୍ଯ୍ୟନ୍ତ ତାଲିବାନ୍‌ ପରାସ୍ତ କରି ପାରି ନ ଥିବା ଏକମାତ୍ର ଆଫଗାନୀ ପ୍ରଦେଶ ହେଉଛି ପଞ୍ଜଶିର। ସେଠାରେ ଅନେକ ତାଲିବାନ୍ ବିରୋଧୀ ସମବେତ ହୋଇଛନ୍ତି। କିଂବଦନ୍ତି ଆଫଗାନ ବିଦ୍ରୋହୀ କମାଣ୍ଡର୍‌ ଅହମଦ୍‌ ଶାହା ମାସୌଦ୍‌ଙ୍କ ପୁତ୍ର ଅହମଦ୍‌ ମାସୌଦ୍‌ ସମ୍ପ୍ରତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେଙ୍କ ସହ ପଞ୍ଜଶିର ଉପତ୍ୟକାରେ ଅବସ୍ଥାନ କରୁଛନ୍ତି।

ପୂର୍ବରୁ ଫହିମ୍ ଦସ୍ତି କହିଥିଲେ ଯେ, ପଞ୍ଜଶିରର ‘ପ୍ରତିରୋଧକାରୀ ଫୌଜ’ କେବଳ ‌ପ୍ରଦେଶ ପାଇଁ ନୁହେଁ, ସମଗ୍ର ଆଫଗାନିସ୍ତାନ ପାଇଁ ସଂଗ୍ରାମ କରୁଛି।

ସମ୍ବନ୍ଧିତ ଖବର