କାବୁଲରେ ଆନ୍ଦୋଳନରତ ମହିଳାଙ୍କୁ ତାଲିବାନର ଆକ୍ରମଣ

କାବୁଲ: ତାଲିବାନ ବିରୋଧରେ କାବୁଲରେ ମହିଳାମାନେ ଚଳାଇଥିବା ଆନ୍ଦୋଳନକୁ ତୁରନ୍ତ ବନ୍ଦ କରିବା ପାଇଁ ଆଜି ଧମକ ଦିଆଯାଇଛି। ଆନ୍ଦୋଳନରତ ମହିଳାମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରାରେ ଯାଉଥିବା ସମୟରେ ତାଲିବାନ ଆତଙ୍କବାଦୀ ସେମାନଙ୍କୁ ଅଟକାଇଥିଲେ ଏବଂ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲେ। ଆନ୍ଦୋଳନରତ ମହିଳାଙ୍କୁ ତାଲିବାନ ଆତଙ୍କବାଦୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଏଥିରେ ଜଣେ ସାମାଜିକ କର୍ମୀ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ମହିଳାମାନେ ତାଲିବାନର ବିଭିନ୍ନ କଟକଣାକୁ ବିରୋଧ କରି ଲଗାତାର ତୃତୀୟ ଦିନରେ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ହାତରେ ପ୍ଲାକାର୍ଡ ଧରି ତାଲିବାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସେମାନଙ୍କୁ ଶିକ୍ଷା ସହ ଚାକିରିର ସୁଯୋଗ ମିଳୁ ବୋଲି ସେମାନେ ଦାବି କରିଛନ୍ତି।

ଏଥିସହ ନୂଆ ସରକାରରେ ସେମାନେ ସାମିଲ ହେବାପାଇଁ ଚାହିଛନ୍ତି। ନିକଟରେ ତାଲିବାନ ନେତା ସ୍ତାନିକଜାଇ କହିଥିଲେ ଯେ, ନୂଆ ସରକାରରେ କୌଣସି ମହିଳାଙ୍କୁ ମନ୍ତ୍ରୀ କରାଯିବ ନାହିଁ। ଏହାପରଠାରୁ ମହିଳାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସାମାଜିକ କର୍ମୀ ନରଗିସ ସଦ୍ଦତ କହିଛନ୍ତି, ତାଙ୍କୁ ତାଲିବାନ ଆତଙ୍କବାଦୀ ନିସ୍ତୁକ ମାଡ଼ ମାରିଛନ୍ତି। ସେମାନେ ରାଷ୍ଟ୍ରପତି ଭବନ ଗେଟ୍‌ ବାହାରେ ଆନ୍ଦୋଳନ କରିବାକୁ ଚାହିଥିଲେ କିନ୍ତୁ ଏଥିପାଇଁ ସେମାନଙ୍କୁ ଅନୁମତି ମିଳିନାହିଁ ବୋଲି ସେ କହିଛନ୍ତି। ଆନ୍ଦୋଳନରତ ମହିଳାଙ୍କୁ ଘଉଡ଼ାଇବାପାଇଁ ତାଲିବାନମାନେ ଗୁଳି ଚାଳନା କରିଥିବା ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର