ପେଶଓ୍ଵାର(ପାକିସ୍ତାନ): ପାକିସ୍ତାନର ଉତ୍ତରପଶ୍ଚିମ ସହର ପେଶଓ୍ଵାର ସ୍ଥିତ ଏକ କୃଷି ତାଲିମ ଅନୁଷ୍ଠାନର ଛାତ୍ରାବାସରେ ବସି ତାଲିବାନ ଆତଙ୍କବାଦୀମାନେ ଆଜି ଗଣସଂହାର ରଚାଇଛନ୍ତି। ଏଥିରେ ତାଲିମରତ କିଛି ଛାତ୍ରଙ୍କ ସମେତ ଅତି କମ୍‌ରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ତାଲିବାନ ସଂଗଠନର ମୁଖ୍ୟ ଗୋଷ୍ଠୀ ତେହରିକ-ଏ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି।
ସୂଚନାନୁଯାୟୀ, ବୁର୍ଖାପିନ୍ଧା ମହିଳା ବେଶରେ ତିନି ଜଣ ଆତଙ୍କବାଦୀ ଏକ ରିକ୍ସାରେ ଆସି ଉକ୍ତ କୃଷି ତାଲିମ ପ୍ରତିଷ୍ଠାନର ମୁଖ୍ୟ ଫାଟକ ଆଗରେ ଅଟକିଥିଲେ। ସେଠାରେ ପଇଁତରା ମାରୁଥିବା ଜଗୁଆଳି ଦ୍ୱୟଙ୍କୁ ପ୍ରଥମେ ସେମାନେ ଗୁଳି କରି ଭିତରକୁ ପଶିବା ଲାଗି ରାସ୍ତା ସଫା କରିଥିଲେ। ପରେ ଅନାୟାସରେ ସେମାନେ ପ୍ରତିଷ୍ଠାନ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ। ତେବେ ସେମାନେ ଛାତ୍ରାବାସରେ ପଶିବା ପୂର୍ବରୁ କର୍ତ୍ତୃପକ୍ଷ ସେଠାରୁ ଛାତ୍ରମାନଙ୍କୁ ଖାଲି କରିଦେଇଥିଲେ। ଫଳରେ ଏକ ବଡ଼ ଧରଣର ନରସଂହାରରୁ ଛାତ୍ରାବାସ ବର୍ତ୍ତିଯାଇଛି। ତଥାପି ଆତଙ୍କବାଦୀଙ୍କ ଗୁଳିରେ ଦୁଇଜଣ ସୁରକ୍ଷା କର୍ମୀ ଏବଂ ଛାତ୍ରଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।