ଆଫଗାନିସ୍ତାନ ମହିଳା ଜାତୀୟ ଦଳର ସଦସ୍ୟ ଥିବା ଜୁନିୟର ଭଲିବଲ୍‌ ଖେଳାଳିଙ୍କ ମୁଣ୍ଡ କାଟିଲେ ତାଲିବାନ

କାବୁଲ: ଆଫଗାନିସ୍ତାନ କନିଷ୍ଠ ମହିଳା ଜାତୀୟ ଭଲିବଲ୍‌ ଦଳର ସଦସ୍ୟ ଥିବା ମହଜାବିନ ହାକିମି ନାମ୍ନୀ ଜନୈକା ଖେଳାଳିଙ୍କର ମୁଣ୍ଡକୁ ତାଲିବାନୀମାନେ କାଟି ତାଙ୍କୁ ପ୍ରାଣଦଣ୍ଡ ଦେଇଛନ୍ତି। ତାଲିବାନୀଙ୍କ ଦ୍ୱାରା ଏହି ନାରକୀୟ ଘଟଣା ଚଳିତ ମାସ ପ୍ରାରମ୍ଭରେ ଘଟିଥିବା ଜଣେ ପ୍ରଶିକ୍ଷକ ଅଭିଯୋଗ କରିଛନ୍ତି।

ଏକ ସାକ୍ଷାତକାରରେ ପ୍ରଶିକ୍ଷକ ସୁରାୟା ଅଫଜଲି (ନାମ ପରିବର୍ତ୍ତନ) କହିଛନ୍ତି ଯେ ଅକ୍ଟୋବର ଆରମ୍ଭରେ ତାଲିବାନ ଦ୍ୱାରା ମହଜାବିନ ହାକିମି ନାମକ ଜନୈକା ମହିଳା ଭଲିବଲ ଖେଳାଳିଙ୍କୁ ତାଲିବାନୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। କିନ୍ତୁ, ତାଲିବାନୀମାନେ ତାଙ୍କ ପରିବାରକୁ ଏହା ବିଷୟରେ ବାହାରେ ନ କହିବାକୁ ଧମକ ଦେଇଥିବାରୁ କେହି ଏହି ଭୟଙ୍କର ହତ୍ୟା ବିଷୟରେ ଜାଣିପାରି ନଥିଲେ।

ଅଶରଫ ଘନି ସରକାରଙ୍କ ପତନ ପୂର୍ବରୁ ମହଜାବିନ କାବୁଲ ମ୍ୟୁନିସିପାଲିଟି ଭଲିବଲ୍‌ କ୍ଲବ ପାଇଁ ଖେଳିଥିଲେ ଏବଂ କ୍ଲବର ଅନ୍ୟତମ ତାରକା ଖେଳାଳି ଥିଲେ। ତେବେ, ତାଲିବାନମାନେ କ୍ଷମତା ଅକ୍ତିଆର କରିବାର କିଛି ଦିନ ପରେ ତାଙ୍କ କଟା ମୁଣ୍ଡ ଏବଂ ରକ୍ତାକ୍ତ ବେକ ପରିବାର ଲୋକେ ପାଇଥିଲେ। ଆଫଗାନିସ୍ତାନ ମହିଳା ଜାତୀୟ ଭଲିବଲ୍‌ ଦଳର ପ୍ରଶିକ୍ଷକ କହିଛନ୍ତି ଯେ ଅଗଷ୍ଟରେ ତାଲିବାନମାନେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଛଡ଼ାଇ ନେବା ପୂର୍ବରୁ ଦଳର କେବଳ ଦୁଇ ଜଣ ଖେଳାଳି ଦେଶରୁ ଖସିଯିବାକୁ ସକ୍ଷମ ହୋଇଥିଲେ। ମହଜାବିନ ହାକିମି ଅନ୍ୟ ଅନେକ ଦୁର୍ଭାଗ୍ୟଜନକ ମହିଳା କ୍ରୀଡାବିତଙ୍କ ମଧ୍ୟରେ ଥିଲେ ଯେଉଁମାନେ ପଛରେ ରହିଯାଇଥିଲେ।

କ୍ଷମତା ଅଧିଗ୍ରହଣ ପରଠାରୁ ତାଲିବାନୀମାନେ ମହିଳା ଆଥଲେଟମାନଙ୍କୁ ଚିହ୍ନଟ ଏବଂ ଶିକାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ବିଦେଶୀ ଏବଂ ଘରୋଇ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଏବଂ ଅତୀତରେ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିବା ଆଫଗାନିସ୍ତାନ ମହିଳା ଭଲିବଲ୍‌ ଦଳର ସଦସ୍ୟମାନଙ୍କ ପାଇଁ ତାଲିବାନୀ ଆତଙ୍କବାଦୀମାନେ ଅଧିକ ନଜର ରଖିଛନ୍ତି ବୋଲି ଅଫଜଲି ଦାବି କରିଛନ୍ତି। ଫଳରେ ଆଫଗାନିସ୍ତାନର ମହିଳା ଆଥଲେଟ୍‌ମାନେ ଏବେ ଅତ୍ୟନ୍ତ ଖରାପ ପରିସ୍ଥିତିରେ ନିରାଶା ଏବଂ ଭୟରେ ‘ଅଣ୍ଡରଗ୍ରାଉଣ୍ଡ’ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର