ତାଲିବାନ ବର୍ବରତା: ଘରକୁ ଘର ବୁଲି ଝିଅମାନଙ୍କୁ ଉଠାଇ ନେଉଛନ୍ତି

କାବୁଲ: ତାଲିବାନ ବାହିନୀ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ସେଠାରେ ମହିଳାମାନଙ୍କ ପାଇଁ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ସବୁଠୁ ବେଶି ବିପଦରେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି ଅଛନ୍ତି। ଆଫଗାନିସ୍ତାନ ଛାଡ଼ିଥିବା ଆମେରିକାର ମହିଳା ସାମ୍ବାଦିକ ହୋଲି ମ୍ୟାକେ ଆଫଗାନିସ୍ତାନରେ ମହିଳାମାନେ ସମ୍ମୁଖୀନ ହେଉଥିବା ବର୍ବରତାକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ତାଲିବାନ ଆତଙ୍କବାଦୀ ଏବେ ଆଫଗାନିସ୍ତାନରେ ଘରକୁ ଘର ବୁଲି ୧୫ ବର୍ଷରୁ ଊର୍ଦ୍ଧ୍ବ ବାଳିକା ଓ ମହିଳାଙ୍କୁ ବିବାହ ପାଇଁ ଉଠାଇ ଆଣୁଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦୁଷ୍କର୍ମ କରିବା ସହ ବଳପୂର୍ବକ ବିବାହ କରୁଛନ୍ତି ହୋଲି କହିଛନ୍ତି। ହୋଲି କହିଛନ୍ତି ଯେ ସେ ଦେଶ ଛାଡ଼ିବାରେ ସକ୍ଷମ ହୋଇଥିଲେ ମଧ୍ୟ ତାଙ୍କ ବନ୍ଧୁମାନେ କିନ୍ତୁ ବହୁତ ସଙ୍କଟରେ ଅଛନ୍ତି। ଆଫଗାନିସ୍ତାନରେ ମହିଳାମାନେ ନିଜ ଅଧିକାର ପାଇଁ ବହୁତ କଷ୍ଟରେ ଲଢ଼ୁଛନ୍ତି। ତାଲିବାନର ଅତ୍ୟାଚାର ସୀମା ଟପିଲାଣି। ମହିଳାମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ହେଉଛି ଏବଂ ସେମାନଙ୍କୁ ଘର କୋଣରେ ରହିବାକୁ ବାଧ୍ୟ କରାଯାଉଛି। ତାଲିବାନ କ୍ଷମତାକୁ ଆସିବା ମାତ୍ରେ ପ୍ରଥମେ ମହିଳାଙ୍କ ଶିକ୍ଷା ଅଧିକାରକୁ ଛଡ଼ାଇ ନେଇଛି ଏବଂ ଆଗକୁ ତାଲିବାନ ସରକାର ଗଠନ ହେବାପରେ ମହିଳାଙ୍କର ଆଉ କୌଣସି ଅଧିକାର ରହିବ ନାହିଁ। ସାରିଆ ଆଇନ ଉଲ୍ଲଂଘନ ଦର୍ଶାଇ ତାଲିବାନ ଆତଙ୍କବାଦୀ ଯେ କୌଣସି ମହିଳାଙ୍କୁ ଟାର୍ଗେଟ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର