ମିଛ ପ୍ରମାଣିତ ହେଲା ଆଶ୍ବାସନା: ତାଲିବାନର ବର୍ବରତା ଆରମ୍ଭ

ବିମାନ ବନ୍ଦରରେ ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ, ବୁର୍ଖା ନ ପିନ୍ଧିବାରୁ ମହିଳାଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଦଖଲ କରିନେଇଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଗତକାଲି ନାଗରିକଙ୍କ ଉପରେ କୌଣସି ଅତ୍ୟାଚାର ହେବନାହିଁ ବୋଲି ଦେଇଥିବା ପ୍ରତିଶ୍ରୁତି ମିଛ ପ୍ରମାଣିତ ହୋଇଛି। ତାଲିବାନ ଆତଙ୍କବାଦୀମାନେ ଏବେ ସବୁ ଅଂଚଳରେ ସେମାନଙ୍କ ଦବ୍‌ଦବା ଦେଖାଉଥିବା ବେଳେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ହତ୍ୟା କରିବା କିମ୍ବା ବନ୍ଦୀ କରିବା ପାଇଁ ଘରକୁ ଘର ତଲାସୀ କରୁଥିବା ଜଣାପଡ଼ିଛି। ପୂର୍ବ ସରକାରର ଅନେକ ଅଧିକାରୀ ବିଭିନ୍ନ ପ୍ରଦେଶରେ ଆତ୍ମଗୋପନ କରିଥିବାରୁ ସେମାନଙ୍କୁ ଠାବ କରିବା ପାଇଁ ତାଲିବାନ ବାହିନୀ ଲୋକଙ୍କୁ ଭୟଭୀତ କରୁଛନ୍ତି। ତାଲିବାନର ନିଷ୍ଠୁରତାରୁ ମୁକ୍ତି ପାଇଁ ହଜାର ହଜାର ସଂଖ୍ୟାରେ ଜନତା କାବୁଲ ବିମାନ ବନ୍ଦରରେ ପ୍ରବେଶ କରିବାକୁ ପ୍ରୟାସ କରୁଥିବା ବେଳେ ସେମାନଙ୍କୁ ତାଲିବାନ ବାଧା ଦେଉଛି।

ବିମାନ ବନ୍ଦରରେ ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ
ଜଲାଲାବାଦରେ ଗୁଳିବର୍ଷା, ୩ ମୃତ
ସେନା ସଦସ୍ୟଙ୍କୁ ହତ୍ୟା କରିବାକୁ ଘରକୁ ଘର ବୁଲୁଛନ୍ତି
ବୁର୍ଖା ନ ପିନ୍ଧିବାରୁ ମହିଳାଙ୍କୁ ହତ୍ୟା

ମହିଳା ଓ ଶିଶୁମାନଙ୍କୁ ଅମାନୁଷିକ ଭାବେ କାବୁଲ ଏୟାରପୋର୍ଟ ଅଂଚଳରେ ପ୍ରହାର କରାଯାଉଥିବା ଦୃଶ୍ୟ ଭାଇରାଲ୍‌ ହେବା ପରେ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ମହିଳାମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଯେଉଁଠି ବି କେହି ସାମାନ୍ୟ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଧରି ନେଇ ଅସ୍ଥାୟୀ ବନ୍ଦୀ ଶିବିରରେ ରଖାଯାଉଛି । ଗତକାଲି ତଖାର୍‌ ପ୍ରଦେଶରେ ଜଣେ ମହିଳା ବୁର୍ଖାରେ ମୁହଁ ଘୋଡ଼ାଇ ନଥିବାରୁ ତାଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି। ଆଜି ଜଲାଲାବାଦରେ ତାଲିବାନ ବର୍ବରତା ବିରୋଧରେ ରାସ୍ତାକୁ ଓହ୍ଲାଇଥିବା କିଛି ଲୋକଙ୍କ ଉପରକୁ ତାଲିବାନ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଜି ତାଲିବାନ ବାମିୟାନ ପ୍ରଦେଶରେ ସିହା ମିଲିସିଆ ନେତା ଅବଦୁଲ ଅଲ୍ଲୀ ମଜାରିଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି।

ଆଫଗାନିସ୍ତାନର ଜାତୀୟ ପତାକାକୁ ତାଲିବାନ ଆଜି ନିଷିଦ୍ଧ କରିବା ସହ ନିଜର ବ୍ୟାନରକୁ ପତାକା ଭାବେ ବିଭିନ୍ନ ସ୍ଥାନରେ ଲଗାଇଛି। ଆଫଗାନ ପରିସ୍ଥିତି ନେଇ ଆଜି ତାଲିବାନ କମାଣ୍ଡର ତଥା ହକ୍କାନି ଆତଙ୍କବାଦୀ ଗୋଷ୍ଠୀର ମୁଖିଆ ଅନାସ୍‌ ହକ୍କାନିଙ୍କୁ ପୂର୍ବତନ ରାଷ୍ଟ୍ରପତି ହମିଜ କରଜାଇ ଭେଟିଛନ୍ତି। ଲୋକଙ୍କୁ ଶାନ୍ତିରେ ରଖିବାକୁ ଦେବା ଏବଂ ବିଭିନ୍ନ ପ୍ରଦେଶରେ ଶାସନ ବ୍ୟବସ୍ଥାକୁ କାଏମ ରଖିବା ପାଇଁ କରଜାଇ ଆଲୋଚନା କରିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର