ତାଲିବାନର ବର୍ବରତା: ବାପା ବିଦ୍ରୋହୀ ସାଜିବାରୁ ନିରୀହ ଶିଶୁକୁ ମୃତ୍ୟୁଦଣ୍ଡ

କାବୁଲ : ଆଫଗାନିସ୍ତାନର ତାଖର ପ୍ରଦେଶରେ ତାଲିବାନମାନେ ଏକ ନିରୀହ ଶିଶୁକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶିଶୁଟିର ଭୁଲ୍‌ କିଛି ନଥିଲା। ଶିଶୁର ବାପା ବିଦ୍ରୋହୀ ବାହିନୀରେ ଥିବା ଜାଣିବାପରେ ତାଲିବାନ ବାହିନୀ ଉକ୍ତ ଶିଶୁଟିକୁ ଗୁଳିକରି ହତ୍ୟା କରିଛନ୍ତି। ମୃତ ଶିଶୁର ଶରୀର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ପଡ଼ିଥିବା ଏକ ଭିଡିଓ ମଧ୍ୟ ଜାରି ହୋଇଛି। ତାଲିବାନ ଆଫଗାନିସ୍ତାନ ଦଖଲ କରିଥିଲେ ମଧ୍ୟ ପଂଜଶୀରରେ ଲଢ଼େଇ ଜାରି ରହିଛି ଏବଂ ମୃତ ଶିଶୁର ବାପା ପଂଜଶୀର ବିଦ୍ରୋହୀ ବାହିନୀରେ ସାମିଲ ଥିବା କୁହାଯାଉଛି। ଏଥିପାଇଁ ତାଲିବାନ ଶିଶୁଟିକୁ ମୃତ୍ୟୁଦଣ୍ଡ ଦେଇଥିବା ଘୋଷଣା କରିଛି। ତାଲିବାନ ଏହାର ନୀତିକୁ ଅତ୍ୟନ୍ତ କଠୋର କରିଛି ଏବଂ ବର୍ବରତା ଆଗରେ ନିରୀହ ଶିଶୁ ବି ବାଦ୍‌ ପଡ଼ୁନାହାନ୍ତି।

ଉଲ୍ଲେଖ‌ଯୋଗ୍ୟ, ଗତ ସପ୍ତାହରେ ତାଲିବାନ ୪ ଜଣ ଅପହରଣକାରୀଙ୍କୁ ହତ୍ୟା କରିବା ସହ ସେମାନଙ୍କ ମର ଶରୀର କ୍ରେନ୍‌ରେ ଟାଙ୍ଗି ଦେଇଥିଲେ। ଆଫଗାନିସ୍ତାନରେ ଅପହରଣକୁ ସହ୍ୟ କରାଯିବନି ବୋଲି ତାଲିବାନ ପକ୍ଷରୁ କୁହାଯାଇଥିଲା। ଏବେ ସର୍ବସମ୍ମୁଖରେ ତାଲିବାନ ଶିଶୁକୁ ହତ୍ୟା କରିବା ଘଟଣା ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର