୯/୧୧ ବାର୍ଷିକୀରେ ହେବାକୁ ଥିବା ଆଫଗାନ ସରକାର ଉଦ୍‌ଘାଟନୀ ଉତ୍ସବ ବାତିଲ କଲା ତାଲିବାନ୍: ରିପୋର୍ଟ

ନୂଆଦିଲ୍ଲୀ: ମିତ୍ର ରାଷ୍ଟ୍ରମାନଙ୍କ ଚାପର ବଶବର୍ତ୍ତୀ ହୋଇ ତାଲିବାନ୍‌ ନବଗଠିତ ଆଫଗାନିସ୍ତାନ କାମଚଳା ସରକାରର ଉଦ୍‌ଘାଟନୀ ଉତ୍ସବ ବାତିଲ କରିଥିବା କଥା ରୁଷ୍‌ର ‘ଟାସ୍‌ ନିଉଜ୍‌ ଏଜେନ୍‌ସି’ ଗତକାଲି ରିପୋର୍ଟ କରିଛି।

ଅନିଶ୍ଚିତ ରିପୋର୍ଟସୂତ୍ରରୁ ଜଣାପଡ଼ିଥିଲା ଯେ, ଉପରୋକ୍ତ ଉଦ୍‌ଘାଟନୀ ଉତ୍ସବ ସେପ୍ଟେମ୍ବର ୧୧ ଅର୍ଥାତ୍‌ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ଶ ବାର୍ଷିକୀ ଦିନ ଆୟୋଜନ କରାଯାଇଥିଲା।

ଆଫଗାନ ସରକାରଙ୍କ ‘କଲ୍‌ଚୁରାଲ୍‌ କମିସନ୍’ର ଅନ୍ୟତମ ସଦସ୍ୟ ଇନାମୁଲ୍ଲା ସମନଗନୀ ଟୁଇଟ୍‌ କରି କହିଥିଲେ, ଅଳ୍ପ କେଇ ଦିନ ତଳେ ନୂତନ ଆଫଗାନ ସରକାରର ଉଦ୍‌ଘାଟନୀ ଉତ୍ସବକୁ ବାତିଲ କରାଯାଇଛି। ଜନସାଧାରଣଙ୍କୁ ଆଉ ବିଭ୍ରାନ୍ତ ନ କରାଇ ‘ଇସ୍‌ଲାମିକ୍‌ ଏମିରେଟ୍‌ସ୍‌’ର ନେତୃତ୍ବ, କ୍ୟାବିନେଟ୍‌ର କିଛି ଅଂଶ ଘୋଷଣା କରିଛି, ଏବଂ ତାହା କାର୍ଯ୍ୟ ଆରମ୍ଭ କରିସାରିଲାଣି।

ଉକ୍ତ ଉଦ୍‌ଘାଟନୀ ଉତ୍ସବକୁ ତାଲିବାନ୍ ରୁଷ୍‌, ଇରାନ୍‌, ଚୀନ୍‌, କତାର ଏବଂ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। କିନ୍ତୁ, ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏବଂ କାବୁଲ ସରକାରଙ୍କ ମଧ୍ୟସ୍ଥତା କରୁଥିବା କତାରକୁ ମସ୍କୋ ବାରମ୍ବାର ଜଣାଉଥିଲା କି, ୯/୧୧ ବାର୍ଷିକୀରେ ଆୟୋଜନ କରାଗଲେ ବି ସେ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଅଂଶ ଗ୍ରହଣ କରିବ ନାହିଁ।

Image Courtesy of India Today

ପ୍ରାପ୍ତ ଅନ୍ୟାନ୍ୟ ରିପୋର୍ଟ ଅନୁସାରେ, ଉକ୍ତ ଉଦ୍‌ଘାଟନୀ ଉତ୍ସବ ‘ଅମାନବୀୟ’ ମନେହେଉଥିବାରୁ ଆଦୌ ଉଦ୍‌ଘାଟନୀ ଉତ୍ସବ ନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ‘ନାଟୋ’ ମେଣ୍ଟ କତାରୀ ସରକାରଙ୍କ ଉପରେ ଚାପ ପକାଉଥିଲେ। ଏହାଛଡ଼ା, ଆଫଗାନିସ୍ତାନରେ ନୂଆ କରି ଶାସନ ଆରମ୍ଭ କରୁଥିବା ତାଲିବାନ୍‌ ‘ବୈଶ୍ବିକ ସ୍ବୀକୃତି’ ଆଶାକୁ ମଧ୍ୟ ଏହି ଉଦ୍‌ଘାଟନୀ ଉତ୍ସବ ଅଧିକ ବିପଦଗ୍ରସ୍ତ କରିପାରେ ବୋଲି ସେମାନେ କହିଥିଲେ। ଉଲ୍ଲେଖଯୋଗ୍ୟ, କଠୋରପନ୍ଥୀ ତାଲିବାନ୍‌ ‘ବୈଶ୍ବିକ ସ୍ବୀକୃତି’ ପାଇବାକୁ ଖୁବ୍‌ ଆଗ୍ର‌ହୀ ବୋଲି ଜଣାପଡ଼ିଛି।

ପ୍ରମୁଖ ମନ୍ତ୍ରୀମାନଙ୍କ ନାମ ସହ ମଙ୍ଗଳବାର ଦିନ ତାଲିବାନ୍‌ ଆଫଗାନିସ୍ତାନ ପାଇଁ କାମଚଳା ସରକାର ଘୋଷଣା କରିଥିଲା। ସାମଗ୍ରିକ ସରକାର ପାଇଁ ସେମାନେ ଭରସା ଦେଇଥିଲେ ମଧ୍ୟ ନୂତନ କ୍ୟାବିନେଟ୍‌ର ସମସ୍ତ ସଦସ୍ୟ ପୁରୁଷ ଏବଂ ତାଲିବାନ୍‌ କଠୋର ଅର୍ଥ କରିଥିବା ‘ଶାରିୟା ଆଇନ’ ଅନୁସାରେ ଶାସନ ଚାଲିବ ବୋଲି ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର