ପୁଣି ତାଲିବାନ, ଆଫଗାନିସ୍ତାନରେ ୨୦ ବର୍ଷ ପରେ କ୍ଷମତା ଦଖଲ

ଦେଶ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଘନି, ସେନାର ଆତ୍ମସମର୍ପଣ, କାବୁଲରେ କର୍ଫ୍ୟୁ

କାବୁଲ : ଆଫଗାନିସ୍ତାନରେ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ତାଲିବାନ ଆକ୍ରମଣରୁ ବର୍ତିବା ଲାଗି ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ପଳାଇଛନ୍ତି। ତାଙ୍କ ସହିତ ଅନେକ ମନ୍ତ୍ରୀ ଓ ନେତା ମଧ୍ୟ ପଳାୟନ କରିଛନ୍ତି। ଫଳରେ ବିନା ବିରୋଧରେ ତାଲିବାନ ରାଜଧାନୀ କାବୁଲରେ ପ୍ରବେଶ କରିବା ସହିତ ୨୦ ବର୍ଷ ପରେ ପୁଣି କ୍ଷମତା ଦଖଲ କରିଛି। ସେପ‌ଟେ ତାଲିବାନ ଆକ୍ରମଣ ଭୟରେ ହଜାର ହଜାର ସଂଖ୍ୟାରେ ଆଫଗାନ ନାଗରିକ ଦେଶ ଛାଡ଼ି ପଳାଇବା ଆରମ୍ଭ କରିଛନ୍ତି। ରାଜଧାନୀରେ ଲୁଟପାଟ୍ ଆରମ୍ଭ ହୋଇଯାଇଥିବାରୁ ପରିସ୍ଥିତିିକୁ ନିୟନ୍ତ୍ରଣ କରିବାକୁ ଯାଇ କାବୁଲରେ କର୍ଫ୍ୟୁ ଜାରି କରାଯାଇଛି।

ଗତକାଲି ନାଟକୀୟ ଘଟଣାକ୍ରମରେ ତାଲିବାନ ବିନା ରକ୍ତପାତରେ କାବୁଲ ଦଖଲ କରିଛି। ଆଫଗାନ ସରକାରୀ ସେନା ମଧ୍ୟ ତାଲିବାନ ନିକଟରେ ଆତ୍ମସମର୍ପଣ କରିଛି। ଆଜିଠାରୁ ପୁଣି ଥରେ ସମଗ୍ର ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି। ସରକାରୀ ଟେଲିଭିଜନ ଚ୍ୟାନେଲରେ ତାଲିବାନ କର୍ତ୍ତୃପକ୍ଷ ବିଜୟ ଘୋଷଣା କରିଛନ୍ତି। ସୋମବାର ସକାଳେ ତାଲିବାନ କମାଣ୍ଡରମାନେ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ଭବନକୁ ନିଜ ନିୟନ୍ତ୍ରଣକୁ ନେଇ ସେଠାରେ ରଣନୀତି ବୈଠକ କରିଛନ୍ତି। ଆଫଗାନିସ୍ତାନରେ ସ୍ବାଭାବିକ ଶାସନ ଚାଲିବ ଏବଂ ବିଶ୍ବ ସମୁଦାୟ ଏଥିପାଇଁ ସହଯୋଗର ହାତ ବଢ଼ାଇବାକୁ ସେମାନେ ନିବେଦନ କରିଛନ୍ତି। ଆଫଗାନିସ୍ତାନରେ ସମସ୍ତ ଦୂତାବାସ ପୂର୍ବଭଳି କାମ କରିବା ଆମେ ଚାହୁଛୁ ବୋଲି ତାଲିବାନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

କାବୁଲର ସମସ୍ତ ପ୍ରଶାସନିକ ବିଭାଗକୁ ନିଜ ନିୟନ୍ତ୍ରଣକୁ ନେବାପରେ ତାଲିବାନ ଲୋକଙ୍କୁ ଆସନ୍ତାକାଲି ୮ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କହିଛି। ଖୁବ୍‌ଶୀଘ୍ର ନୂଆ ପ୍ରଶାସନିକ ଏବଂ ସୁରକ୍ଷା ବ୍ୟବସ୍ଥା ଦେଶରେ ଲାଗୁ ହେବ ଏବଂ ଏଥିରେ ସମସ୍ତ ନାଗରିକ ସହଯୋଗ କରିବାକୁ ତାଲିବାନ କହିଛି।

ଗତକାଲି ତାଲିବାନ କାବୁଲରେ ପ୍ରବେଶ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ଘନି ଏକ ସ୍ବତନ୍ତ୍ର ବିମାନରେ କାଜିକିସ୍ତାନ ପଳାଇଥିଲେ। ତେବେ କାଜିକିସ୍ତାନ ତାଙ୍କ ବିମାନକୁ ଅବତରଣ କରିବା ପାଇଁ ଅନୁମତି ନଦେବାରୁ ସେଠାରୁ ସେ ଓମାନ ଯାଇଥିଲେ। ଏବେ ଘନି ଆମେରିକାରେ ଆଶ୍ରୟ ନେବାପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏକ ବିବୃତିରେ ଘନି କହିଛନ୍ତି ଯେ ରକ୍ତପାତର ବନ୍ୟାକୁ ଏଡ଼ାଇବା ପାଇଁ ସେ ଦେଶ ଛାଡ଼ିଛନ୍ତି। ଯଦି ସଂଘର୍ଷ ମାଧ୍ୟମରେ ତାଲିବାନ କ୍ଷମତା ଦଖଲ କରିଥାନ୍ତା ତା’ହେଲେ ଅଗଣତି ନିରୀହ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା ଏବଂ କାବୁଲ ଧ୍ବଂସ ପାଇଥାନ୍ତା ବୋଲି ଘନି କହିଛନ୍ତି। ତେବେ ଆଫଗାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କହିଛନ୍ତି ଯେ ସେ ତାଲିବାନ ଆତଙ୍କବାଦୀଙ୍କ ନିକଟରେ କଦାପି ମୁଣ୍ଡ ନୁଆଁଇବେ ନାହିଁ ଏବଂ ଦେଶରେ ରହି ହିଁ ବିରୋଧ ପ୍ରଦର୍ଶନ କରିବେ।

ରାଷ୍ଟ୍ରପତି ଭବନକୁ ଦଖଲ କରିବା ପରେ ଦେଶର ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନିଜ ହାତକୁ ନେବାପାଇଁ ତାଲିବାନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦେଶର ସମସ୍ତ ପ୍ରମୁଖ ପ୍ରଦେଶର ରାଜଧାନୀଗୁଡ଼ିକରେ ତାଲିବାନ କମାଣ୍ଡରଙ୍କୁ ସ୍ବତନ୍ତ୍ର କ୍ଷମତା ଅର୍ପଣ କରାଯାଇଛି। ଇତିମଧ୍ୟରେ ଭାରତ, ଆମେରିକା, ବ୍ରିଟେନ୍‌ ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କାବୁଲରୁ ଦୂତାବାସ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ତାଲିବାନ କ୍ଷମତାକୁ ଆସିବା ପରେ ସବୁ ମହଲରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଛି। ବିଶେଷ କରି ମହିଳାମାନେ ଅତ୍ୟନ୍ତ ଅସୁରକ୍ଷିତ ମଣୁଛନ୍ତି। ସାରିଆ ଆଇନ ମୁତାବକ ହିଁ ଜନସାଧାରଣ ସେମାନଙ୍କ ସ୍ବାଧୀନତା ଅଧିକାର ପାଇବେ ବୋଲି ତାଲିବାନ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର