ଇସଲାମାବାଦ: ପାକିସ୍ତାନର ଚିତ୍ରାଲ ଜିଲ୍ଲାକୁ ଏବେ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦଖଲ କରିନେଇଛି। ଏହି ଜିଲ୍ଲାଟି ଖୈବର ପଖତୁନଖଓ୍ବା ପ୍ରଦେଶରେ ଅବସ୍ଥିତ । ହଜାର ହଜାର ତାଲିବାନ ଆତଙ୍କବାଦୀ ଏଠାରେ ଉପସ୍ଥିତ ଅଛନ୍ତି ଏବଂ ସେମାନେ ପାକିସ୍ତାନୀ ପ୍ରାୟ ୭୫ ଜଣ ସେନା ଯବାନଙ୍କୁ ବନ୍ଧକ ରଖିଛନ୍ତି ଓ ଲଢେଇରେ କିଛି ପାକିସ୍ତାନୀ ସୈନ୍ୟ ନିହତ ହୋଇଛନ୍ତି ବୋଲି ଟିଟିପି ଦାବି କରିଛି ।
ବୁଧବାର ଭୋର ୪ଟାରୁ ଆରମ୍ଭ ହୋଇଥିବା ଅଭିଯାନ ପରେ ଚିତ୍ରାଲକୁ ଦଖଲ କରାଯାଇଛି ବୋଲି ଟିଟିପି ଦାବି କରିଛି। ଜଣେ ଆତଙ୍କବାଦୀ କମାଣ୍ଡର କହିଛନ୍ତି ଯେ ଏଠାରେ ଦୁର୍ବଳ ଇଣ୍ଟରନେଟ୍ ନେଟଓ୍ବର୍କ ରହିଛି ; କିନ୍ତୁ ଖୁବଶୀଘ୍ର ଆକ୍ରମଣର ଫଟୋ ସେୟାର କରାଯିବ । ପାକ୍ ସେନାର ପାଖାପାଖି ୭୫ ଜଣ ଯବାନଙ୍କୁ ବନ୍ଧକ ରଖାଯାଇଥିବା ଓ ୧୦ ଜଣ ମୃତ୍ୟୁବରଣ କରିଥିବା ସେ କହିଛି । ତେବେ ଅନ୍ୟକେତେକ ରିପୋର୍ଟ ଅନୁସାରେ ବନ୍ଧକ ରଖାଯାଇଥିବା ସୈନ୍ୟଙ୍କ ସଂଖ୍ୟା ୯୦ ହେବ ।
ଅନ୍ୟପକ୍ଷରେ ପାକିସ୍ତାନୀ ଗଣମାଧ୍ୟମରେ ଏହି ଆକ୍ରମଣର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମାତ୍ର ଟିଟିପି ଏହି ଆକ୍ରମଣ ଘଟଣାକୁ ସ୍ବୀକାର କରି କହିଛି ଯେ ସେମାନେ ଚିତ୍ରାଲରେ ସେନା ଉପରେ ସଂଗଠିତ ଆକ୍ରମଣ କରୁଛନ୍ତି। ଟିଟିପି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସ୍ଥାନୀୟ ଲୋକଙ୍କ ଅନୁରୋଧକ୍ରମେ ସେମାନେ ସେଠାକୁ ଆସିଛନ୍ତି । ଲୋକେ ଟିଟିପିର ସହାୟତା ମାଗିଥିଲେ ବୋଲି ଜଣା ଆତଙ୍କବାଦୀ କହିଛି ।