କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପରେ ଏବେ ସେଠାରେ ତାଲିବାନ ସରକାରର ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । କିଛି ସମୟ ତଳେ ସୋସିଆଲ୍ ମିଡିଆରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ପଞ୍ଜଶୀର ଏନଆରଏଫ୍ ନାମକ ଟ୍ୱିଟର ଆକାଉଣ୍ଟରୁ ଦାବି କରାଯାଇଥିଲା ଯେ, କ୍ଷମତା ପାଇଁ ସଂଘର୍ଷ ଭିତରେ ମୁଲ୍ଲା ବରାଦର ମୃତ୍ୟୁବରଣ କରିଛନ୍ତି । ହେଲେ ଏହି ଖବରକୁ ମିଥ୍ୟା ବୋଲି କହିବା ସହିତ ଏହାର ସଫେଇ ରଖିଛି ତାଲିବାନ ।
ତାଲିବାନ ମୁଖପାତ୍ର ସୁହେଲ ଶାହିନଙ୍କ ସୂଚନା ମୁତାବକ, ସୋମବାର ମୁଲ୍ଲା ବରାଦରଙ୍କ ମୃତ୍ୟୁ ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ମିଥ୍ୟା ଅଟେ । ଏହି ଖବରରେ କୌଣସି ସତ୍ୟତା ନାହିଁ ।
Mullah Bradar Akhund, Deputy PM, Islamic Emirate of Afghanistan in a voice message rejected all those claims that he was injured or killed in a clash. He says it is lies and totally baseless.
— Suhail Shaheen. محمد سهیل شاهین (@suhailshaheen1) September 13, 2021
ଏହା ସହ ଅଡିଓ ବାର୍ତ୍ତା ଜାରି କରି ମୁଲ୍ଲା ବରାଦର କହିଛନ୍ତି ଯେ, ମୋର ମୃତ୍ୟୁ ବିଷୟରେ ଗଣମାଧ୍ୟମରେ ଖବର ଆସିଥିଲା। ଗତ କିଛି ରାତି ମୁଁ ଭ୍ରମଣରେ ବ୍ୟସ୍ତ ରହି ଯାଇଥିଲି | ମୁଁ ବର୍ତ୍ତମାନ ଠିକ ଅଛି ଏବଂ ଜୀବିତ ଅଛି |
ଆଫଗାନିସ୍ତାନ ଉପରେ କବଜା କରିବା ପରେ ଏବେ ସେଠାରେ ନୂଆ ତାଲିବାନ ସରକାର ରାଜ କରୁଛି, ଯାହାର ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ହସନ ଅଖୁନ୍ଦ । ତେବେ ଯେଉଁ ସମୟରେ ସରକାର ଗଠନ ହେବା ନେଇ ଚର୍ଚ୍ଚା ହେଉଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଦୋୖଡରେ ଆଗରେ ରହିଥିଲେ ମୁଲ୍ଲା ବରାଦର । ହେଲେ ତାଙ୍କୁ ଉପ-ପ୍ରଧାନମନ୍ତ୍ରୀ ବନେଇ ମୁଲ୍ଲା ହସନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । ଯାହାକୁ ନେଇ ସେ ଏବେ ଖୁସି ନଥିବା ଦାବି କରାଯାଉଛି ।
ଏହି ଘଟଣା କାରଣରୁ ପଞ୍ଜଶୀର ଏନଆରଏଫ୍ ନାମକ ଏକ ଟ୍ୱିଟରରୁ ଖବର ପ୍ରକାଶ ପାଇଥିଲା ଯେ, କ୍ଷମତା ପାଇଁ ସଂଘର୍ଷ ଭିତରେ ମୁଲ୍ଲା ବରାଦର ମୃତ୍ୟୁବରଣ କରିଛନ୍ତି । ଏଥିରେ ହକ୍କାନୀ ଗୋଷ୍ଠୀର କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ହେଲେ ଏହି ସମ୍ପୂର୍ଣ୍ଣ ଘଟଣାକୁ କାଳ୍ପନିକ କହିବା ସହିତ ଏହାକୁ ଗୁଜବ ବୋଲି ସଫେଇ ରଖିଛି ତାଲିବାନ ।