ତାଲିବାନ ମନ୍ତ୍ରୀ ପରିଷଦର ଘୋଷଣା ଆଜି: ସରକାରର ନେତୃତ୍ବ ନେବେ ମୁଲ୍ଲା ବରାଦର

ଶୁରା କାଉନ୍‌ସିଲ ଶାସନ କରିବ
ସବୁଆଡ଼େ ତାଲିବାନ ପୋଷ୍ଟର, ହୋର୍ଡିଂ
ନୂଆ ପରିଷଦରେ ୮୦% ଦୋହା ଟିମ୍‌

କାବୁଲ : ତାଲିବାନ ଆଫଗାନିସ୍ତାନରେ ଏହାର ନୂଆ ସରକାରର ରୂପରେଖ ଚୂଡ଼ାନ୍ତ କରିଛି ଏବଂ ଆଜି ମନ୍ତ୍ରି ପରିଷଦ ସଦସ୍ୟଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ତାଲିବାନର ‘ଶୁରା’ କାଉନ୍‌ସିଲ ଦେଶରେ ଶାସନ କରିବ ବୋଲି ଆଜି ସ୍ପଷ୍ଟ କରାଯିବା ପରେ ପୂର୍ବ ତାଲିବାନ ସରକାର ଭଳି ଏହି ସରକାରର ଆଭିମୁଖ୍ୟ ମଧ୍ୟ ଅତି କଠୋର ହେବ ବୋଲି କୁହାଯାଉଛି। ତାଲିବାନର ଅନ୍ୟତମ ଶୀର୍ଷ ନେତା ମୁଲ୍ଲା ବରାଦର ଏହି ନୂଆ ସରକାରର ନେତୃତ୍ବ ନେବେ ଏବଂ ମନ୍ତ୍ରିମଣ୍ଡଳରେ ମହମ୍ମଦ ୟାକୁବ୍‌ ଏବଂ ମହମ୍ମଦ ଆବ୍ବାସ ଷ୍ଟାନେକ୍‌ଜାଇ ବରିଷ୍ଠ ସଦସ୍ୟ ଭାବେ ରହିବେ। ତାଲିବାନର ଧାର୍ମିକ ପରିଷଦ ‘ଶୁରା’ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବ ଏବଂ ନୂଆ ପରିଷଦରେ ମହିଳାଙ୍କୁ ସାମିଲ କରାଯିବ ନାହିଁ। ତାଲିବାନର ନୂଆ ପରିଷଦରେ ଦୋହା ତାଲିବାନ ଟିମ୍‌ର ୮୦ ପ୍ରତିଶତ ସଦସ୍ୟ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ ଆଫଗାନିସ୍ତାନ ସୂଚନା ଏବଂ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ହୋର୍ଡିଂ ଲାଗି ସାରିଛି। ଆଫଗାନିସ୍ତାନ ସାଂସ୍କୃତିକ କମିସନ ମୁଖ୍ୟ ଅହମଦୁଲ୍ଲା ମୁତାକି ଏନେଇ ଏକ ଟ୍ବିଟ୍‌ କରିଛନ୍ତି ଏବଂ କାବୁଲରୁ କିଛି ଫଟୋ ପୋଷ୍ଟ୍‌ କରିଛନ୍ତି। ତାଲିବାନରେ ସରକାର ଗଠନ ନେଇ ସବୁକିଛି ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ନୂଆ କ୍ୟାବିନେଟ୍‌ ନେଇ ଆସନ୍ତାକାଲି ହିଁ ଘୋଷଣା ହେବ ବୋଲି ସେ କହିଛନ୍ତି। ସମସ୍ତ ଶୀର୍ଷ ନେତାମାନେ କାବୁଲରେ ପହଞ୍ଚି ସାରିଛନ୍ତି। କ୍ୟାବିନେଟରେ ହକ୍କାନୀ ନେଟୱର୍କକୁ ସ୍ଥାନ ମିଳିବ। ସିରାଜୁଦ୍ଦିନ ହକ୍କାନୀ ନୂଆ ସରକାରରେ ସାମିଲ ହେବେ।

ତାଲିବାନ ଶାସନରେ କାବୁଲ ପୂର୍ବପରି ଦେଶର ରାଜଧାନୀ ରହିବ କିନ୍ତୁ ଏହାର ସର୍ବୋଚ୍ଚ ନେତା ମୁଲ୍ଲା ଅଖୁନ୍ଦଜାଦା କାନ୍ଦାହାରରେ ରହିବେ। କାବୁଲ ରାଷ୍ଟ୍ରପତି ପ୍ରାସାଦରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଉଛି। ୟୁଏଇରୁ ଜରୁରୀ ମେଡିକାଲ ଏବଂ ଖାଦ୍ୟ ସାମଗ୍ରୀ ଆଣି ଏକ ପରିବହନ ବିମାନ ଆଜି କାବୁଲ ପହଞ୍ଚିଛି।

ସମ୍ବନ୍ଧିତ ଖବର