ତାଲିବାନର କଟକଣା: ଶିକ୍ଷା ପାଇଁ କାବୁଲ ଛାଡ଼ିପାରିବେ ନାହିଁ ଛାତ୍ରୀ

ମିଡିଆରେ କାମ କରୁଥିବା ୮୦% ମହିଳା ଚାକିରି ହରାଇଛନ୍ତି

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାରଙ୍କ ନାରୀ-ବିରୋଧୀ ନୀତିରେ କିଛି ବି ପରିବର୍ତ୍ତନ ଘଟିନାହିଁ। କାଜାଖସ୍ତାନ ଓ କାତାରରେ ଉଚ୍ଚଶିକ୍ଷା ପାଇଁ କୌଣସି ଛାତ୍ରୀ କାବୁଲ ଛାଡ଼ି ଯାଇପାରିବେ ନାହିଁ ବୋଲି ସେମାନେ ଏକ ନୂଆ ନିୟମ କରିଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ଉଭୟ ଛାତ୍ର ଓ ଛାତ୍ରୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଲିବାନ ସରକାର କେବଳ ଛାତ୍ରମାନଙ୍କୁ ଯିବାକୁ ଅନୁମତି ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ତାଲିବାନ କ୍ଷମତାକୁ ଆସିବା ପରେ ଲିଙ୍ଗଭିତ୍ତିକ ପାତରଅନ୍ତର ଆରମ୍ଭ କରିଛି। ଝିଅମାନଙ୍କୁ ଷଷ୍ଠ ଶ୍ରେଣୀରୁ ଅଧିକ ପାଠ ପଢ଼ିବା ପାଇଁ ଅନୁମତି ଦେଉନାହିଁ। ବିଦ୍ୟାଳୟରେ ଲିଙ୍ଗଭିତ୍ତିକ ବାଛବିଚାର କରିବା ସହ ଝିଅମାନେ ଘରୁ ଗୋଡ଼କାଢ଼ି ବାହାରକୁ ଯିବା ଓ ଚାକିରି କରିବା ଉପରେ ମଧ୍ୟ କଟକଣା ଲାଗୁ କରିଛି। କେହି ବାହାରକୁ ଗଲେ ମୁହଁ ଘୋଡ଼େଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ମିଡ଼ିଆରେ କାମ କରୁଥିବା ୮୦ ପ୍ରତିଶତ ମହିଳା ସେମାନଙ୍କ ଚାକିରି ହରାଇଛନ୍ତି। ଦେଶର ପ୍ରାୟ ୧୮ ନିୟୁତ ମହିଳା ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି।

ସମ୍ବନ୍ଧିତ ଖବର