୨୦୧୪ରେ ଭୋଟ୍‌ ଦେଇଥିବାରୁ ତାଲିବାନ୍‌ ଆତଙ୍କବାଦୀ କାଟିଥିଲେ ଆଙ୍ଗୁଠି, ପୁଣି ୨୦୧୯ରେ ଭୋଟ୍‌ ଦେଲେ ସେ ଲୋକ

କାବୁଲ: ୨୦୧୪ରେ ଭୋଟ୍‌ ଦେଇଥିବାରୁ ସାଫିଉଲ୍ଲାଙ୍କର ଡାହଣ ହାତର ବିଶିଆଙ୍ଗୁଠି କାଟି ପକାଇଥିଲେ ତାଲିବାନ୍‌ ଆତଙ୍କବାଦୀମାନେ। କିନ୍ତୁ, ସେଥିଯୋଗୁଁ ସେ ବ୍ୟବସାୟୀ ଭୋଟ୍‌ ଦେବାରୁ ବିରତ ହୋଇ ନାହାନ୍ତି।

୨୦୧୯ ରାଷ୍ଟ୍ରପତୀୟ ନିର୍ବାଚନରେ ସଫି ଶନିବାର ଦିନ ଭୋଟ୍‌ ଦେଇଛନ୍ତି। ଡାହଣ ହାତରେ ବିଶିଆଙ୍ଗୁଠି ନ ଥିବା ଏବଂ ବାମ ହାତ ବିଶିଆଙ୍ଗୁଠିରେ ଅଲିଭାକାଳି ଲାଗିଥିବା ୩୮ ବର୍ଷିୟ ସଫିଙ୍କ ଫଟୋ ଟୁଇଟର୍‌ରେ ପୋଷ୍ଟ୍‍ ହେବା ପରେ ପ୍ରସଂଶାର ସ୍ରୋତ ଛୁଟିଚାଲିଛି।
ଆତଙ୍କବାଦୀଙ୍କ ଧମକକୁ ବେଖାତିର କରି ଓ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ବିଳମ୍ବକୁ ସହ୍ୟ କରି ଆଫଗାନମାନେ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ଭୋଟ୍‌ ଦେଇଛନ୍ତି।

Image Source: India Today

୨୦୦୧ରେ ଯୁକ୍ତରାଷ୍ଟ୍ର ଆମେରିକା ସେନା ନେତୃତ୍ୱରେ ତାଲିବାନୀ ଶାସନ ହଟାଇ ଦିଆଯାଇଥିଲା। ସେବେଠାରୁ ସେଠାରେ ତାଲିବାନୀମାନେ ଆତଙ୍କ ଚଳାଇ ଆସୁଛନ୍ତି।

୨୦୧୪ ରାଷ୍ଟ୍ରପତୀୟ ନିର୍ବାଚନ ସମୟରେ ତାଲିବାନ ଲଢୁଆମାନେ ଅନୂନ୍ୟ ଛଅଜଣ ଭୋଟ୍‌ଦାତାଙ୍କ ଆଙ୍ଗୁଠି କାଟି ପକାଇଥିଲେ।

ଟେଲିଫୋନ୍‌ ଯୋଗେ ସଫି କହିଛନ୍ତି: ସେ ଅଙ୍ଗେନିଭା ଯନ୍ତ୍ରଣା କଥା ମୋର ମନେଅଛି, କିନ୍ତୁ ସେଇଟା ତ ଥିଲା ଗୋଟିଏ ମାତ୍ର ଆଙ୍ଗୁଠି। ମୋ ପିଲାମାନଙ୍କ ଏବଂ ମୋ ଦେଶର ଭବିଷ୍ୟତ ଲାଗି ସେମାନେ ମୋ ହାତ କାଟି ପକାଇଲେ ବି ମୁଁ ବସି ରହିବି ନାହିଁ।

ସମ୍ବନ୍ଧିତ ଖବର