ନୂଆଦିଲ୍ଲୀ: କାବୁଲ ଦଖଲ କରିବାର ୩ ସପ୍ତାହ ପରେ ତାଲିବାନ ଆଜି ଆଫଗାନିସ୍ତାନ ପାଇଁ ନୂଆ କାମଚଳା ସରକାର ଘୋଷଣା କରିଛି। ନୂଆ ତାଲିବାନ ସରକାରର ନେତୃତ୍ବ ନେବେ ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ। ସେ ନୂଆ ସରକାରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଆଜି କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ତାଲିବାନ ସହ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର ନୂଆ ସରକାରରେ ଉପପ୍ରଧାନମନ୍ତ୍ରୀ ହେବେ। ତେବେ ଆଫଗାନିସ୍ତାନରେ ଏହି ନୂଆ ସରକାର କାମଚଳା ବୋଲି ମୁଜାହିଦ ସ୍ପଷ୍ଟ କରିଛନ୍ତି। ଏହା ସ୍ଥାୟୀ ନୁହେଁ ବୋଲି ସେ କହିଛନ୍ତି। ସିରାଜୁଦ୍ଦିନ ହକ୍କାନୀ କାମଚଳା ଆଭ୍ୟନ୍ତରୀଣ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଅମିର ଖାନ୍ ମୁତ୍ତାକି ବିଦେଶ ମନ୍ତ୍ରୀ, ଆବାସ ସ୍ତାନିକଜାଇ ନୂଆ ଆଫଗାନ ସରକାରରେ ଉପ ବିଦେଶ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି ବୋଲି ମୁଜାହିଦ କହିଛନ୍ତି। ତାଲିବାନ ପ୍ରତିଷ୍ଠାତା ମୁଲ୍ଳା ମହମ୍ମଦ ଓମାରଙ୍କ ପୁ୍ଅ ମୁଲ୍ଲା ୟାକୁବ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ଜଣାପଡ଼ିଛି। ମନ୍ତ୍ରୀ ପରିଷଦରେ ଅବଦୁଲ ସଲାମ ହନାଫି ଦ୍ବିତୀୟ ଉପପ୍ରଧାନମନ୍ତ୍ରୀ, ହେଦାୟାତୁଲ୍ଲା ବଦ୍ରି ଅର୍ଥ ମନ୍ତ୍ରୀ, ଡିନ ମହମ୍ମଦ ଅର୍ଥନୀତି ବ୍ୟାପାର ମନ୍ତ୍ରୀ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ତାଲିବାନ ୨ ଥର ସରକାର ଘୋଷଣା ସ୍ଥଗିତ ରଖିଥିଲା। ତେବେ ସରକାରୀ ଭାବେ କୌଣସି ଉତ୍ସବ ହେବା ପୂର୍ବରୁ ତାଲିବାନ ଆଜି ନୂଆ ସରକାର ଘୋଷଣା କରିଛି। ପରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ ପାଇଁ ଉତ୍ସବ ପାଳନ ହେବ। ମୁଲ୍ଲା ହାସନ ଅଖୁନ୍ଦ ଏବେ ତାଲିବାନର ଶକ୍ତିଶାଳୀ ନିଷ୍ପତ୍ତି ନିର୍ଣ୍ଣୟ କମିଟିର ମୁଖ୍ୟ ଅଛନ୍ତି। ଧାର୍ମିକ ନେତାଭାବେ ସେ ଅଧିକ ପରିଚିତ। ମୁଲ୍ଲା ହାସନ ଶେଖ୍ ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ସହ ତାଙ୍କର ଦୀର୍ଘ ୨୦ ବର୍ଷ ଧରି ଅତି ଘନିଷ୍ଠ ସଂପର୍କ ରହିଛି। ଆଫଗାନିସ୍ତାନରେ ପୂର୍ବ ତାଲିବାନ ସରକାରରେ ହାସନ କେତେକ ଗୁରୁତ୍ବପୂର୍ଣ୍ଣ ଦିଗରେ କାର୍ଯ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/5f4h897sfhsf54h65sf4h65sfhfhhfhfhf.jpg)