ବୁଝାମଣା ପାଇଁ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଲେ ତାଲିବାନ୍‌ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବୁଝାମଣା ପାଇଁ ୪୦ ସଦସ୍ୟବିଶିଷ୍ଟ ତାଲିବାନ୍‌ ପ୍ରତିନିଧି ଦଳ ପଞ୍ଜଶିରରେ ‘ପ୍ରତିରୋଧକାରୀ ଶକ୍ତି’ଙ୍କୁ ଭେଟିଥିଲେ, କିନ୍ତୁ ଉକ୍ତ ଆଲୋଚନାର ଫଳାଫଳ ଅସ୍ପଷ୍ଟ ରହିଛି।

ତାଲିବାନ୍-ବିରୋଧୀ ଦଳ ଟୁଇଟ୍‌ କରିଛନ୍ତି, ଦୁଇଟି ଉପାୟ ଅଛି। ସେମାନେ ଖୋରସାନ୍‌ ଜନତାଙ୍କ ନୈତିକତା ଗ୍ରହଣ କରିବେ ନତୁବା ପ୍ରତି‌ରୋଧ ଘୋଷଣା କରାଯିବ।

ତାଲିବାନ କ୍ଷମତା ଅଧିକାର କରିବା ପରେ ଆପଣାକୁ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷିତ କରିଥିବା ବିତାଡ଼ିତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ ପ୍ରତିରୋଧକାରୀ ଶକ୍ତିରେ ସାମିଲ ହୋଇଛନ୍ତି। ସେ କହିଛନ୍ତି କି, କେବଳ ଉଲ୍ଲେଖନୀୟ ବୁଝାମଣାଗୁଡ଼ିକୁ ଗ୍ରହଣ କରାଯିବ।

ବୁଝାମଣା ବିଫଳ ହେଲେ, ଯେକୌଣସି ପ୍ରକାର ଚରମ ପରିଣତି ପାଇଁ ପ୍ରତିରୋଧକାରୀ ଶକ୍ତି ପ୍ରସ୍ତୁତ ଅଛନ୍ତି। ରବିବାର ଦିନ ପ୍ରତିରୋଧକାରୀ ଶକ୍ତିର ନେତା ଅହମଦ୍ ମାସୌଦ୍‌ କହିଛନ୍ତି, ସପ୍ତାହେ ତଳେ କାବୁଲରେ କ୍ଷମତା ଅକ୍ତିଆର କରିଥିବା ଇସ୍‌ଲାମୀୟ ଆନ୍ଦୋଳନ ସହ ସେ ଶାନ୍ତିପୂର୍ଣ୍ଣ ଆଲୋଚନା ଆଶା କରୁଛନ୍ତି। କିନ୍ତୁ, ସଂଗ୍ରାମ ପାଇଁ ତାଙ୍କ ଫୌଜ ପ୍ରସ୍ତୁତ ରହିଛନ୍ତି।

Image Courtesy of Republic World

କାବୁଲର ଉତ୍ତରପଶ୍ଚିମକୁ ଥିବା ପଞ୍ଜଶିର ଉପତ୍ୟକାସ୍ଥିତ ଦୁର୍ଗରୁ ସେ ଟେଲିଫୋନ୍‌ ଯୋଗେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି, କେବଳ ବୁଝାମଣା ମାଧ୍ୟମରେ ଅଗ୍ରଗତି କରିହେବ ବୋଲି ତାଲିାବନକୁ ଆମେ ହୃଦ୍‌ବୋଧ କରାଇବାକୁ ଚାହୁଁ। ଲଢ଼େଇ ଆରମ୍ଭ କରିବାକୁ ଆମ୍ଭେ ଚାହୁଁନା।

ଆଞ୍ଚଳିକ ସରକାରୀ ଅଧିକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଜଶିରକୁ ତାଲିବାନକୁ ହସ୍ତାନ୍ତର କରିବା ଲାଗି ଅଗ୍ରାହ୍ୟ କରି ଦେବାରୁ ବହୁସଂଖ୍ୟକ ଉଗ୍ରବାଦୀ ସେ ଉପତ୍ୟକା ଅଭିମୁଖେ ଯାତ୍ରା କରିଥିବା କଥା ତାଲିବାନ୍‌ର ଆଲେମାରାହ୍‌ ଟୁଇଟ୍‌ କରିବା ପରେ ଅହମଦ୍ ମାସୌଦ୍‌ ଏ ଭଳି ମନ୍ତବ୍ୟ ଦେଇଛନ୍ତି।

ମାସୌଦ୍ ହେଉଛନ୍ତି ୧୯୮୦ ଦଶକର ସୋଭିଏତ୍-ବିରୋଧୀ ପ୍ରତିରୋଧକାରୀ ଆଫଗାନିସ୍ତାନର ଅନ୍ୟତମ ପ୍ରମୁଖ ନେତା ଅହମଦ୍ ଶାହା ମାସୌଦ୍‌ଙ୍କ ପୁତ୍ର। ତାଲିବାନ ପଞ୍ଜଶିର ଉପତ୍ୟକା ଆକ୍ରମଣ କଲେ, ତାଙ୍କର ସମର୍ଥକମାନେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର