ଭାରତୀୟ ଦୂତାବାସରୁ କର୍ମଚାରୀଙ୍କୁ ଖାଲି କରିବାକୁ ଚାହୁନଥିଲା ତାଲିବାନ

ନୂଆଦିଲ୍ଲୀ : ଭାରତ କାବୁଲ ସ୍ଥିତ ଏହାର ଦୂତାବାସରୁ କୂଟନୀତିଜ୍ଞ ଏବଂ ଅନ୍ୟ କର୍ମଚାରୀଙ୍କୁ ଖାଲି ନକରୁ ବୋଲି ତାଲିବାନ୍‌ ଚାହୁଥିଲା। ତାଲିବାନ୍‌ ଗ୍ରୁପ୍‌ର କତାର ଅଫିସ୍‌ ପକ୍ଷରୁ ସରକାରଙ୍କୁ ଏନେଇ କେତେକ ବାର୍ତ୍ତା ପଠାଯାଇଥିଲା। କାବୁଲ ସ୍ଥିତ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା।

ମିଳିଥିବା ସୂଚନାନୁଯାୟୀ, ତାଲିବାନ୍‌ ରାଜନୈତିକ ବିଭାଗର କାର୍ଯ୍ୟକର୍ତ୍ତା ଅବ୍ବାସ ସ୍ତନିକଜାଇଙ୍କ କିଛି ବାର୍ତ୍ତା ପଠାଇଥିଲେ। ସେମାନେ ଭାରତୀୟ ଦୂତାବାସ କର୍ମଚାରୀ ଏବଂ କୂଟନୀତିଜ୍ଞଙ୍କର କିଛି କ୍ଷତି କରିବେନି ବୋଲି କହିଥିଲେ। ଜୈଶ ଏବଂ ଲସ୍କର ଆତଙ୍କବାଦୀ ସଂଗଠନକୁ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରବାକୁ ଦିଆଯିବନି ବୋଲି ତାଲିବାନ୍‌ ପ୍ରତିଶ୍ରୁତି ଦେଇଥିଲା। କାବୁଲରେ ଥିବା ଭାରତୀୟ ଦୂତାବାସ ପୂର୍ବଭଳି ଏହାର କାର୍ଯ୍ୟ ଜାରି ରଖିବାପାଇଁ ତାଲିବାନ୍‌ ଚାହିଥିଲା। ତେବେ ତାଲିବାନ ଭଳି ବର୍ବର ଆତଙ୍କବାଦୀ ସଂଗଠନର କଥାକୁ ଭରସା ନକରି ଭାରତ ଯୁଦ୍ଧକାଳୀନ ଭିତ୍ତିରେ କାବୁଲ୍‌ରୁ ଏହାର କର୍ମଚାରୀଙ୍କୁ ଖାଲି କରିଛି ଏବଂ ଅନ୍ୟ ଭାରତୀୟଙ୍କୁ ଆଣିବାକୁ ପ୍ରୟାସ ଜାରି ରହିଛି। ଭାରତ ଚଳିତ ସପ୍ତାହରେ ୨ଟି ବାୟୁ ସେନା ବିମାନରେ ଏହାର ଦୂତାବାସ କର୍ମଚାରୀଙ୍କୁ ଖାଲି କରିଛି। ଏବେ ବି କାବୁଲ ସମେତ ଆଫଗାନିସ୍ତାନର ବିଭିନ୍ନ ସହରରେ ଭାରତୀୟ ନାଗରିକମାନେ ଫସି ରହିଛନ୍ତି।

ସମ୍ବନ୍ଧିତ ଖବର