ତାଲିବାନ୍-ବିରୋଧୀ ଶକ୍ତି ପ୍ରତିରୋଧ ସୁଦୃଢ଼ କରୁଥିବା ବେଳେ ପଞ୍ଜଶିର ପ୍ରବେଶ ପଥରେ ଏକତ୍ର ହେଲେଣି ତାଲିବାନ୍‌ ଉଗ୍ରବାଦୀ: ଉପରାଷ୍ଟ୍ରପତି ସାଲେହ୍‌

ନୂଆଦିଲ୍ଲୀ: ବିପୁଳସଂଖ୍ୟକ ତାଲିବାନ ଉଗ୍ରବାଦୀ ପଞ୍ଜଶିର ପ୍ରବେଶ ପଥରେ ରୁଣ୍ଡ ହୋଇଥିବା କଥା ଆଜି ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ କହିଛନ୍ତି। ପଞ୍ଜଶିରରେ ତାଲିବାନ୍-ବିରୋଧୀ ଶକ୍ତି ସଂଘର୍ଷ ପାଇଁ ଏକଜୁଟ ହୋଇଛନ୍ତି।

ସମ୍ପ୍ରତି ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ବୋଲାଉଥିବା ସାଲେହ୍‌ ଆଜି ସକାଳେ ଟୁଇଟ୍‌ କରି ଲେଖିଛନ୍ତି, ନିକଟବର୍ତ୍ତୀ ଅନ୍ଦର୍ବ ଉପତ୍ୟକାରେ ଅତର୍କିତ ଆକ୍ରମଣର ସରବ୍ୟ ହେବା ଭଳି ଅଞ୍ଚଳରେ ଫସି ରହିବାର ଦିନକ ପରେ ତାଲିବମାନେ ପଞ୍ଜଶିର ଫାଟକ ସମ୍ମୁଖରେ ରୁଣ୍ଡ ହୋଇଛନ୍ତି। ଅତର୍କିତ ଆକ୍ରମଣ ଜୋନ୍‌ରୁ ସେମାନେ ଦଳବଦ୍ଧ ଭାବେ ଆସି ନ ପାରି ପ୍ରାୟ ଛତ୍ରଭଙ୍ଗ ଦେବା ପରି ଆସିଥିଲେ।

ଆହୁରି ସଦ୍ୟ ତଥ୍ୟ ଦେଇ ସେ ଲେଖିଛନ୍ତି, ସମ୍ପ୍ରତି ପ୍ରତିରୋଧକାରୀ ଶକ୍ତିମାନେ ସାଲାଙ୍ଗ୍ ରାଜପଥ ବନ୍ଦ କରିଛନ୍ତି।

Image Courtesy of Wall Street Journal

ଉତ୍ତର ଆଫଗାନିସ୍ତାନରେ ତାଲିବାନ ବିପକ୍ଷରେ ପ୍ରତିରୋଧ ଚଳାଇଥିବା ଶକ୍ତି କହିଛନ୍ତି ଯେ, ସେମାନେ ପଞ୍ଜଶିର ନିକଟବର୍ତ୍ତୀ ତିନୋଟି ଜିଲ୍ଲାକୁ ଦଖଲ କରିଛନ୍ତି। ଆଫଗାନିସ୍ତାନ ସରକାରୀ ଫୌଜ ଏବଂ ଅନ୍ୟ ଉଗ୍ରବାଦୀ ସଙ୍ଗଠନମାନେ ପଞ୍ଜଶିରରେ ଏକତ୍ର ହୋଇଛନ୍ତି।

ପଞ୍ଜଶିରରୁ ତାଲିବାନକୁ ପ୍ରତିରୋଧ କରିବେ ବୋଲି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌ ଏବଂ ପୂର୍ବତନ ସୋଭିଏତ୍‌-ବିରୋଧୀ ମୁଜାହିଦୀନ୍ କମାଣ୍ଡର୍‌ ଅହମଦ୍‌ ଶାହା ମାସୌଦଙ୍କ ପୁତ୍ର ଅହମଦ୍‌ ମାସୌଦ ପଣ କରିଛନ୍ତି। ୧୯୮୦ ଏବଂ ୧୯୯୦ ଦଶକରେ ପଞ୍ଜଶିର ସୋଭିଏତ୍‌ ସେନା ଏବଂ ତାଲିବାନକୁ ପରାସ୍ତ କରିଥିଲା।

ମାସୌଦଙ୍କ ଘନିଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁସାରେ, ପଞ୍ଜଶିର ଉପତ୍ୟକାରେ ସରକାରୀ ସୈନ୍ୟ, ସ୍ବତନ୍ତ୍ର ସୈନ୍ୟ ଏବଂ ସ୍ଥାନୀୟ ଉଗ୍ରବାଦୀଙ୍କ ସମେତ ୬୦୦୦ରୁ ଅଧିକ ଲଢୁଆ ଏକଜୁଟ ହୋଇଛନ୍ତି। ସେମାନଙ୍କ ପାଖରେ କେତୋଟି ହେଲିକପ୍ଟର୍‌ ଏବଂ ସାମରିକ ଯାନ ଅଛି। ଏହାଛଡ଼ା, ସୋଭିଏତ୍‌ ଦେଶ ଛାଡ଼ି ଚାଲିଯାଇଥିବା କେତେକ କବଚଧାରୀ ସାମରିକ ଯାନଗୁଡ଼ିକୁ ସେମାନେ ମରାମତି କରିଥିବା କଥା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର