ଭାରତକୁ ଅପମାନିତ କରିବା ଉଦ୍ଦେଶ୍ୟରେ ପାନିପଥ ମିଲିଟାରୀ ୟୁନିଟ୍ ଗଠନ କଲା ତାଲିବାନ

କାବୁଲ :  ଭାରତକୁ ଅପମାନିତ କରିବାକୁ ତାଲିବାନ ଉଦ୍ୟମ ଆରମ୍ଭ କରିଦେଇଛି । ତାଲିବାନ ପକ୍ଷରୁ ଏକ ସ୍ବତନ୍ତ୍ର ମିଲିଟାରୀ ୟୁନିଟ୍ ଗଠନ କରାଯାଇଛି । ଯାହାର ନାଁ ରଖାଯାଇଛି ପାନିପତ୍ । ଏକ ଐତିହାସିକ ଘଟଣାକୁ ନେଇ ନିଜ ଦେଶର ଯୁବକମାନଙ୍କୁ ଉତ୍ସାହିତ କରିବା ଓ ଭାରତକୁ ଅପମାନିତ କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି ।

୧୭୬୧ ମସିହାରେ ହରିୟାଣାର ପାନିପତଠାରେ ଅହମ୍ମଦ ଶାହା ଅବଦଲିଙ୍କ ନେତତ୍ବରେ ଥିବା ଆଫଗାନ ସେନା ମରାଠା ବାହିନୀକୁ ପରାସ୍ତ କରିଥିଲା । ତେବେ ଏହି ନୂଆ ୟୁନିଟ୍ ପାକିସ୍ତାନ ସୀମାକୁ ଲାଗିଥିବା ଆଫଗାନିସ୍ତାନର ନଙ୍ଗରହାର ରାଜ୍ୟରେ ମୁତୟନ ହେବ ବୋଲି ଆଫଗାନିସ୍ତାନର ଆମାଜ ନ୍ୟୁଜ ପକ୍ଷରୁ କୁହାଯାଇଛି । ଏହି ୟୁନିଟର ସୈନ୍ୟମାନେ ଆମେରିକୀୟ ଆସାଲ୍ଟ ରାଇଫଲ ଧରିଥିବା ଏକ ଫଟୋ ଆମାଜ ନ୍ୟୁଜ ପକ୍ଷରୁ ସେୟାର କରାଯାଇଛି ।

ଆମାଜ ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନ ଓ ପାକିସ୍ତାନର ଧାର୍ମିକ ସମାବେଶଗୁଡ଼ିକରେ କଶ୍ମୀର ଓ ପାଲେଷ୍ଟାଇନ ସମସ୍ୟା କଥା ଉଠାଯାଇ ଯୁବକମାନଙ୍କୁ ଉତ୍ତେଜିତ କରିବାକୁ ଉଦ୍ୟମ କରାଯାଉଛି ।

ଗତ ବର୍ଷ ଅଗଷ୍ଟ ମାସରେ ଆମେରିକୀୟ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରି ନେଇଥିଲା । ଏହା ସହିତ ଆଫଗାନିସ୍ତାନରେ ପୁଣି ତାଲିବାନର କଠୋର ମୌଳବାଦୀ ଶାସନ ଆରମ୍ଭ ହୋଇଥିଲା । ଆଫଗାନିସ୍ତାନକୁ ଭାରତ କେତେକ ମାନବୀୟ ସହାୟତା ପ୍ରଦାନ କରୁଥିବା ସତ୍ତ୍ବେ ତାଲିବାନ ସରକାରକୁ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନାହିଁ ।

 

ସମ୍ବନ୍ଧିତ ଖବର