୯/୧୧ ରେ ତାଲିବାନ ସରକାରର ଶପଥ! ଭାରତ, ଆମେରିକା ସମେତ ୭ ରାଷ୍ଟ୍ରକୁ ନିମନ୍ତ୍ରଣ

କାବୁଲ : ଆସନ୍ତା ୧୧ ତାରିଖରେ ଆଫଗାନିସ୍ତାନର ତାଲିବାନ ସରକାର ଶପଥ ନେବା ଯୋଜନା ରହିଛି। ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଉପରେ ଅଲ କାଏଦା ବିମାନ ଆକ୍ରମଣ କରିଥିଲା। ଏହି ୯/୧୧ ଆକ୍ରମଣକୁ ଆସନ୍ତା ୧୧ ତାରିଖରେ ୨୦ ବର୍ଷ ପୂରଣ ହେବ। ତେଣୁ ଏହି ଦିନ ଶପଥ ଗ୍ରହଣ ଉତ୍ସବ ପାଇଁ ତାଲିବାନ ସରକାର ଯୋଜନା କରିଛି।

ରିପୋର୍ଟ ଅନୁଯାୟୀ ତାଲିବାନ ସରକାର ଏହାର ଶପଥ ଗ୍ରହଣ ଉତ୍ସବକୁ ଭାରତ ଏବଂ ଆମେରିକା ସମେତ ୭ଟି ରାଷ୍ଟ୍ରକୁ ନିମନ୍ତ୍ରଣ କରିଛି। ଭାରତ ଓ ଆମେରିକା ସମେତ ଚୀନ୍‌, ତୁର୍କୀ, ପାକିସ୍ତାନ, ଇରାନ ଓ କତାର ନିମନ୍ତ୍ରିତ ହୋଇଛନ୍ତି। ଗତ ମଙ୍ଗଳବାର ତାଲିବାନ କା‌ମଚଳା ସରକାର‌ ଘୋଷଣା କରିଛି। ୩୩ ଜଣଙ୍କୁ ନେଇ ଏହି ମନ୍ତ୍ରିମଣ୍ଡଳ ଗଠନ ହେବ। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଆମେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଭଲ ସମ୍ପର୍କ ଚାହୁ। ଯୁଦ୍ଧ ଶେଷ ହୋଇସାରିଛି। ଦେଶ ଏବେ ସଙ୍କଟମୁକ୍ତ। ତାଲିବାନ ପଡ଼ୋଶୀ ରାଷ୍ଟ୍ରଙ୍କଠାରୁ ସହଯୋଗ ଚାହେ ବୋଲି ସେ କହିଥିଲେ। କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ଏଯାବତ୍‌ ତାଲିବାନ ସରକାରକୁ ଗ୍ରହଣ କରିପାରିନାହାନ୍ତି। କେବଳ ପାକିସ୍ତାନ, ଚୀନ୍‌, ତାଜିକିସ୍ତାନ ଏବଂ ଉଜ୍‌ବେକିସ୍ତାନ କାମଚଳା ତାଲିବାନ ସରକାରକୁ ସ୍ବୀକୃତି ଦେଇଛନ୍ତି। ତାଲିବାନ କାମଚଳା ସରକାରରେ ମହମ୍ମଦ ହାସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସିରାଜଉଦ୍ଦିନ ହକ୍କାନୀ ଆଭ୍ୟନ୍ତରୀଣ ମନ୍ତ୍ରୀ ହୋଇଛନ୍ତି। ହକ୍କାନୀ ଆମେରିକା ଏଫ୍‌ବିଆଇର ମୋଷ୍ଟ୍‌ ୱା‌ଣ୍ଟେଡ୍‌ ତାଲିକାରେ ଅଛନ୍ତି। ତାଙ୍କ ମୁଣ୍ଡରେ ୭୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି। ତେବେ ତାଲିବାନ ସରକାରରେ ଅନେକ ଆତଙ୍କବାଦୀ ସାମିଲ ହୋଇଥିବାରୁ ଆମେରିକା ଚିନ୍ତା ପ୍ରକଟ କରିଛି। ଉଲ୍ଲେଖଯୋଗ୍ୟ ଯେ, ତାଲିବାନ ଏହାର କାମଚଳା ସରକାର ପାଇଁ ୩୩ ଜଣଙ୍କ ନାମ ଘୋଷଣା କରିଛି। ଏଥିରେ ୧୪ ଜଣ ଆତଙ୍କବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର