ଆମେରିକୀୟ ସେନା ବେସ୍‌ ପାଖରେ ‘ଗୁପ୍ତ କୋଠରି’ରେ ରହୁଛି ତାଲିବାନ୍‌ ମୁଖ୍ୟ ମୁଲ୍ଲା ଓମାର!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସେନାର ବେସ୍‌ଗୁଡ଼ିକ ନିକଟରେ ଗୋଟାଏ ଗୁପ୍ତ କୋଠରିରେ ତାଲିବାନ ସଂସ୍ଥାପକ ମୁଲ୍ଲା ମହମ୍ମଦ ଓମାର ଓରଫ୍‌ ମୁଲ୍ଲା ଓମାର ରହୁଥିଲେ ବି ସେମାନେ ତାଙ୍କୁ ପାଇବାରେ ବିଫଳ ହେଉଛନ୍ତି ବୋଲି ଗୋଟିଏ ବହିରେ ପ୍ରକାଶ ପାଇଛି।

ଡଚ୍‌ ସାମ୍ବାଦିକ ବେଟ୍‌ ଡାମ୍‌ଙ୍କ ଲିଖିତ ବହିରେ ପ୍ରକାଶିତ ତଥ୍ୟକୁ ଆଧାରକ କରି ‘ଗାର୍ଡିଆନ୍‌’ ଏବଂ ‘ଓ୍ଵାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ପ୍ରକାଶ କରିଥିବା ଖବର ଅନୁସାରେ, ମୁଲ୍ଲା ଓମାର ଯୁକ୍ତରାଷ୍ଟ୍ର ଆମେରିକାର ବେସ୍‌ଗୁଡ଼ିକ ନିକଟରୁ ମାତ୍ର କେଇ ପାହୁଣ୍ଡ ଦୂରରେ ବର୍ଷ ବର୍ଷ ଧରି ରହିଆସୁଛି। ସେ ଲୁଚିଥିବା ଘରେ ଥରେ ଆମେରିକୀୟ ସେନା ପଶି ତଲାସ କରିଥିଲେ ବି ସେ ଲୁଚି ରହିଥିବା ଗୁପ୍ତ କୋଠରିର ସନ୍ଧାନ ପାଇ ନ ଥିଲେ। ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଓମାର୍‌ ନାଁ’ରେ ଯୁକ୍ତରାଷ୍ଟ୍ର ଆମେରିକା ୧୦ ମିଲିୟନ୍‌ ଡଲାର୍‌ ପୁରସ୍କାର ଘୋଷଣା କରିଥିଲା।

ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକୀୟ ସେନା ଦୁଇ ଥର ଓମାରକୁ ଧରିବା ପାଖାପାଖି ହୋଇଯାଇଥିଲା। ଥରେ ଓମାର ଅଗଣାରେ ଥିବାବେଳେ ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ସୈନିକଙ୍କୁ ଦେଖି ଉଚ୍ଚା ହୋଇ ଗଦାମରା ହୋଇଥିବା ଜାଳେଣି କାଠ ପଛରେ ଛକି ଯାଇଥିଲା। ସୈନିକମାନେ ତାକୁ ଦେଖି ନ ପାରି ଚାଲି ଯାଇଥିଲେ। ଅନ୍ୟ ଥର ସେ ଥିବା ବେଳେ ସୈନିକମାନେ ଘର ତଲାସ କରିଥିଲେ କିନ୍ତୁ, ଗୁପ୍ତ କୋଠରିର ସନ୍ଧାନ ନ ପାଇ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର