ନୂଆଦିଲ୍ଲୀ : ୨୦୨୧ ମସିହାରେ ଯେତେବେଳେ କାବୁଲ ତାଲିବାନ ହାତକୁ ଆସିଲା, ସେତେବେଳେ ଆଫଗାନିସ୍ତାନର ଛୋଟ ଛୋଟ ଅଣ-ମୁସଲମାନ ସଂଖ୍ୟାଲଘୁ ଲୋପ ପାଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଦୁଇ ବର୍ଷ ପରେ ଏହି ଆଶଙ୍କା ସତ ହେବାରେ ଲାଗିଛି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଲିବାନ ଦଖଲ ପରେ ଆଫଗାନିସ୍ତାନରୁ ଅଧିକାଂଶ ଇହୁଦୀ ଦେଶ ଛାଡ଼ି ପଳାଇଆସିଥିଲେ । ସେହିପରି କେତେକ କିଛି ଶିଖ ଓ ହିନ୍ଦୁ ମଧ୍ୟ ଦେଶଛାଡ଼ିଥିଲେ । ତଥାପି ସେଠାରେ ଏବେ ବି ଅଳ୍ପ ସଂଖ୍ୟାରେ ଶିଖ୍ ଏବଂ ହିନ୍ଦୁ ସମ୍ପ୍ରଦାୟର ପରିବାର ଅଛନ୍ତି । କିନ୍ତୁ ଧୀରେ ଧୀରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି ।

Advertisment

ତାଲିବାନ ଶାସନରେ ଶିଖ୍ ଏବଂ ହିନ୍ଦୁମାନେ କଠୋର କଟକଣାର ସମ୍ମୁଖୀନ ହେଉଛନ୍ତି। ସର୍ବସାଧାରଣରେ ସେମାନଙ୍କର ଧାର୍ମିକ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯାହା ଫଳରେ ଅନେକଙ୍କ ପାଖରେ ପଳାୟନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।

ନିକଟରେ ରାଜଧାନୀ କାବୁଲ ଛାଡ଼ିଥିବା ଶିଖମାନଙ୍କ ମଧ୍ୟରୁ ଜଣେ ଫେରୀ କୌର କହିଛନ୍ତି, "ଯେତେବେଳେ ମୁଁ ବାହାରକୁ ଯାଇଥାଏ, ମୋତେ ମୁସଲମାନଙ୍କ ଭଳି ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଏ, ଯେରିକି ମୁଁ ଶିଖ ବୋଲି କେହି ଜାଣିନପାରିବେ।’’

କୌରଙ୍କ ପିତା ୨୦୧୮ରେ ଜଲାଲାବାଦରେ ହୋଇଥିବା ଏକ ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ କୌରଙ୍କ ମା' ଓ ଭଉଣୀଙ୍କ ସମେତ ୧୫୦୦ ଶିଖ୍ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସେ ରହିଯାଇଥିଲେ । ଏବେ ତାଲିବାନ ଶାସନରେ ସେଠାରେ ରହିବା କଷ୍ଟକର ହୋଇଯାଇଛି ବୋଲି ସେ କହିଛନ୍ତି।