ସୀମା ଟପିଲାଣି ତାଲିବାନର ବର୍ବରତା, ଆତ୍ମସମର୍ପଣ କରିଥିବା ୨୨ ଆଫଗାନ କମାଣ୍ଡୋଙ୍କୁ ହତ୍ୟା କଲେ

କାବୁଲ: ଆଫଗାନିସ୍ଥାନରୁ ଆମେରିକା ସେନାଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ରକ୍ତମୁଖା ହୋଇପଡ଼ିଛି । ଦିନକୁ ଦିନ ଆଫଗାନିସ୍ଥାନର ନୂଆ ନୂଆ ଅଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଆସୁଛି । ଆଫଗାନିସ୍ଥାନର ସରକାରୀ ସେନା ତାଲିବାନକୁ ପ୍ରତିରୋଧ କରୁଥିଲେ ମଧ୍ୟ ବିଶେଷ ସଫଳ ହୋଇପାରୁନାହିଁ । ତାଲିବାନ ଭୟରେ ଆଫଗାନ ସୈନିକମାନେ ତାଲିବାନ ଆଗରେ ଆତ୍ମସମର୍ପଣ କରୁଛନ୍ତି । ଏହା ସତ୍ତ୍ବେ ତାଲିବାନର ବର୍ବରତା କମିବା ପରିବର୍ତ୍ତେ ବଢିଚାଲିଛି ।

ସିଏନଏନ ପକ୍ଷରୁ ଜାରି ଏକ ଭିଡିଓ ତାଲିବାନର ବର୍ବରତାକୁ ପ୍ରମାଣିତ କରୁଛି । ଗତ ମାସରେ ଆଫଗାନିସ୍ଥାନର ଫରୟାବ୍ ରାଜ୍ୟରେ ତାଲିବାନ ପକ୍ଷରୁ ପ୍ରାୟ ୨୨ ଜଣ ଆଫଗାନ କମାଣ୍ଡୋଙ୍କୁ ହତ୍ୟା କରାଯାଇଛି । ପ୍ରଥମେ ସେମାନଙ୍କୁ ଅସ୍ତ୍ରଛାଡ଼ି ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ସେମାନେ ଅସ୍ତ୍ରଛାଡ଼ି ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ରାସ୍ତା ଉପରେ ଛିଡ଼ା କରି ନିର୍ମମଭାବେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଭିଡିଓ ଅସଲି ଓ ଘଟଣାର ସତ୍ୟତା ଅଛି ବୋଲି ସିଏନଏନ ଦାବି କରିଛି । ଅନ୍ୟପକ୍ଷରେ ଏପରି କୌଣସି ଘଟଣା ଘଟିନାହିଁ ବୋଲି ତାଲିବାନ କହିଛି ।

ସମ୍ବନ୍ଧିତ ଖବର