ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖାଦେଲେ ସର୍ବୋଚ୍ଚ ତାଲିବାନ ନେତା ହୈବତୁଲ୍ଲା ଅଖୁନ୍ଦଜାଦା

କାବୁଲ: ପ୍ରଥମ ଥର ପାଇଁ ତାଲିବାନର ସର୍ବୋଚ୍ଚ ନେତା ହୈବତୁଲ୍ଲା ଅଖୁନ୍ଦଜାଦା ସର୍ବସାଧାରଣରେ ଦେଖା ଦେଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଦକ୍ଷିଣ ଆଫଗାନ ନଗରୀ କାନ୍ଦାହାରରେ ସମର୍ଥକମାନଙ୍କୁ ସେ ଉଦ୍‌ବୋଧନ ଦେଇଥିବା କଥା ମଧ୍ୟ ସେମାନେ ସୂଚନା ଦେଇଛନ୍ତି।

୨୦୧୬ରୁ ଇସ୍‌ଲାମୀୟ ଆନ୍ଦୋଳନର ଅଧ୍ୟାତ୍ମିକ ମୁଖ୍ୟ ହୋଇ ରହି ଆସିଥିଲେ ବି ଅଖୁନ୍ଦଜାଦା ସର୍ବସାଧାରଣରେ ଦେଖା ଦେଉ ନ ଥିଲେ। ଅଗଷ୍ଟ ମାସରେ ତାଙ୍କ ସଂଗଠନ ତାଲିବାନ ଆଫଗାନିସ୍ତାନରେ କ୍ଷମତା ନିୟନ୍ତ୍ରଣ କରିଥିଲେ ବି ସେ ବାହାରକୁ ଆସି ନ ଥିଲେ।

ସେଥିଯୋଗୁଁ ନୂତନ ତାଲିବାନ ସରକାରରେ ତାଙ୍କର ଭୂମିକା ସଂକ୍ରାନ୍ତରେ ନାନା ପ୍ରକାର କଳ୍ପନାଜଳ୍ପନା ଚାଲିଥିଲା। ତାଙ୍କର ମୃତ୍ୟୁ ହୋଇଥିବା କଥା ମଧ୍ୟ ଗୁଜବ ଉଠିଥିଲା।

ତାଲିବାନ ସରକାରୀ ଅଧିକାରୀମାନେ କହିଛନ୍ତି, ତାଙ୍କ ସାହସୀ ସୈନିକ ଏବଂ ଶିଷ୍ୟମାନଙ୍କ ସହ ଆଳାପଆଲୋଚନା ପାଇଁ ଶନିବାର ଦିନ ସେ ଦରୁଲ୍‌ ଉଲୂମ୍‌ ହକିମା ମଦ୍ରାସାକୁ ଯାଇଥିଲେ।

Image Courtesy of South Asia Journal

ସଭା ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କୌଣସି ଫଟୋ କିଂବା ଭିଡିଓ ଜାରି ହୋଇ ନ ଥିଲେ ମଧ୍ୟ ତାଲିବାନ୍‌ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ୧୦ ମିନିଟ୍‌ର ଏକ ଅଡିଓ ରେକର୍ଡିଙ୍ଗ୍‌ ସେୟାର୍‌ କରିଛି।

‘ଅମିରୁଲ୍‌ ମୋମିନୀନ୍‌’ ବା ‘ବିଶ୍ୱସ୍ତଙ୍କ ମୁଖ୍ୟ’ ଭାବେ ସୁପରିଚିତ ଅଖୁନ୍ଦଜାଦା ଧାର୍ମିକ ବାର୍ତ୍ତା ପ୍ରଦାନ କରନ୍ତି।

ଗତକାଲି ସେ ଦେଇଥିବା ଉଦ୍‌ବୋଧନ ରାଜନୀତିକୁ ସ୍ପର୍ଶ କରି ନ ଥିଲା, କିନ୍ତୁ ତାଲିବାନ ନେତୃତ୍ୱ ପ୍ରତି ଈଶ୍ୱରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ତାଲିବାନ ସହିଦ, ଆହତ ଯୋଦ୍ଧା ଏବଂ ଏହି କଠିନ ପରୀକ୍ଷାରେ ‘ଇସ୍‌ଲାମିକ୍‌ ଏମିରେଟ୍‌ସ୍‌’ର ଅଧିକାରୀମାନଙ୍କ ସଫଳତା ପାଇଁ ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି।

୨୦୧୬ରେ ଆମେରିକୀୟ ଡ୍ରୋନ୍‌ ଆକ୍ରମଣରେ ତାଲିବାନ୍‌ର ପୂର୍ବତନ ସର୍ବୋଚ୍ଚ ନେତା ମୁଲ୍ଲା ଅଖତର୍‌ ମନସୌର୍‌ଙ୍କ ମୃତ୍ୟୁ ପରେ ଅଖୁନ୍ଦଜାଦାଙ୍କୁ ତରବରିଆ ଭାବେ ତାଲିବାନର ସର୍ବୋଚ୍ଚ ନେତା ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର