ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ କାବୁଲର ଗଭର୍ଣ୍ଣର ନିଯୁକ୍ତ

କାବୁଲ : ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ଜଣେ ଆତଙ୍କବାଦୀକୁ କାବୁଲର ଗଭର୍ଣ୍ଣର ନିଯୁକ୍ତ କରିଛି । ତା’ ନାଁ ହେଉଛି କାରି ବରୟାଲ । ସେ କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିଲା ବୋଲି ଅଭିଯୋଗ ରହିଛି ।

ବରୟାଲ ଉଭୟ ଅଲକାଇଦା ଓ ତାଲିବାନ ସହ ଘନିଷ୍ଠ ବୋଲି କୁହାଯାଉଛି । ସେ ମଧ୍ୟ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ବେଶ ବିଶ୍ବସ୍ତ ବୋଲି କୁହାଯାଉଛି । ଆଇଏସଆଇ ସହାୟତାରେ ହିଁ ସେ କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ସଂଦେହ କରାଯାଉଛି ।  ୨୦୦୮ରେ ହୋଇଥିବା ଏହି ଆକ୍ରମଣରେ ୫୮ ଜଣ ପ୍ରାଣ ହରାଇଥିବାବେଳେ ୧୪୧ ଜଣ ଆହତ ହୋଇଥିଲେ । ଆଇଏସଆଇ ସହଯୋଗରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର, ଆତ୍ମଘାତି ଆତଙ୍କବାଦୀମାନଙ୍କୁ ଆଫଗାନିସ୍ତାନ ପଠାଇବା ଓ ସେଠାରେ ଆକ୍ରମଣ କରିବା ବରୟାଲ ଓ ତା ନେଟଓ୍ବର୍କର କାମ ।

ଗତ ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ ଅଧିକାର କରିବା ପରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ କଠୋରପନ୍ଥୀ ଆତଙ୍କବାଦୀମାନଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତ କରୁଛି । କିଛି ଦିନ ତଳେ ଜିଲ୍ଲା ସ୍ତରରେ ୪୪ ଜଣ ଆତଙ୍କବାଦୀଙ୍କୁ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଯାଇଥିଲା ।

ଆଫଗାନିସ୍ତାନ ପ୍ରସଙ୍ଗରେ ଗତ ସପ୍ତାହରେ ଭାରତ ଏକ ଏନଏସଏ ସ୍ତରୀୟ ସମ୍ମିଳନୀର ଆୟୋଜନ କରିଥିଲା । ବିଶ୍ବ ସମୁଦାୟର ଭରସା ହାସଲ ପାଇଁ ତାଲିବାନ ଏକ ସମାବେଶୀ ସରକାର ଗଠନ କରୁ ବୋଲି ଏହି ବୈଠକରେ ଆହ୍ବାନ ଦିଆଯାଇଥିଲା । କିନ୍ତୁ ତାଲିବାନର କାର୍ଯ୍ୟକଳାପରୁ ତାହା ଜଣାପଡୁ ନାହିଁ ।

ସମ୍ବନ୍ଧିତ ଖବର