ପେଶାୱାର୍: ତାଲିବାନ ଆତଙ୍କବାଦୀମାନେ ରବିବାର ଦିନ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍-ପଖ୍ତୂନ୍ଖ୍ବାରେ ଗୋଟାଏ ଥାନାକୁ ଦଖଲ କରି କେତେଜଣଙ୍କୁ ପଣବନ୍ଦୀ ରଖିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ଜଣେ ପାକିସ୍ତାନୀ ପୁଲିସ ଅଧିକାରୀ କହିଛନ୍ତି ଯେ, ‘ତେରିକ୍-ଏ-ତାଲିବାନ୍ ପାକିସ୍ତାନ’ (ଟିଟିପି) ଆତଙ୍କବାଦୀମାନେ ଲୁଚିଛପି ଅଶାନ୍ତ ଖୈବର୍-ପଖ୍ତୂନ୍ଖ୍ବା ପ୍ରଦେଶରେ ଥିବା ବାନ୍ନୁ କ୍ୟାଣ୍ଟନ୍ମେଣ୍ଟ୍ରେ ପ୍ରବେଶ କରି କୁଖ୍ୟାତ ଆତଙ୍କବାବୀମାନଙ୍କୁ ମୁକ୍ତ କରି ଦେଇଛନ୍ତି।
ତା’ପରେ ସେମାନେ ଉକ୍ତ କ୍ୟାଣ୍ଟନ୍ମେଣ୍ଟ୍ ପରିସରର ଗୋଟିଏ ସେକ୍ସନ୍କୁ ଅକ୍ତିଆର କରିବା ସହିତ ‘କାଉଣ୍ଟର୍-ଟେରରିଜମ୍ ଡିପାର୍ଟମେଣ୍ଟ୍’ର ନିରାପତ୍ତା କର୍ମଚାରୀଙ୍କୁ ପଣବନ୍ଦୀ କରିଛନ୍ତି।
ବାନ୍ନୁ ଥାନା ମୁଖପାତ୍ର ମହମ୍ମଦ୍ ନସୀବ୍ ‘ରଏଟର୍ସ’କୁ କହିଛନ୍ତି, ଆତଙ୍କବାଦୀମାନେ ବାହାରୁ ଆକ୍ରମଣ କରିଛନ୍ତି କିଂବା ଭିତରେ ଥିବା କର୍ମଚାରୀମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଛନ୍ତି, ତାହା ଜଣା ପଡ଼ିନାହିଁ।
‘କାଉଣ୍ଟର୍-ଟେରରିଜମ୍ ଡିପାର୍ଟମେଣ୍ଟ୍’ର ‘ଇନ୍ଷ୍ଟଲେସନ୍’ରେ ସେମାନେ କର୍ମଚାରୀମାନଙ୍କୁ ପଣବନ୍ଦୀ ରଖିଛନ୍ତି ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ତୁରନ୍ତ ପାକିସ୍ତାନୀ ସେନାର ଯବାନମାନଙ୍କୁ ମୁତୟନ କରାଯାଇଛି। ନିରାପତ୍ତା ବଳ ଉକ୍ତ ପରିସରକୁ ବେଢ଼ି ରହିଛନ୍ତି।
‘ସିଟିଡି’ ପରିସରରୁ ତାଲିବାନ୍ ଆତଙ୍କବାଦୀମାନେ ରିଲିଜ୍ କରିଥିବା ଭିଡିଓରେ କହିଛନ୍ତି ଯେ, ୯ଜଣ ପୁଲିସ କର୍ମଚାରୀଙ୍କୁ ପଣବନ୍ଦୀ ରଖାଯାଇଛି। ସେମାନଙ୍କୁ ମୁକୁଳାଇବାକୁ ହେଲେ ଆମକୁ ବିମାନ ଯୋଗେ ଆଫଗାନିସ୍ତାନ ଯିବାର ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି।