ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ତାଲିବାନ ମନ୍ତ୍ରୀଙ୍କ ‘କେବଳ ପୁରୁଷ’ ସାମ୍ବାଦିକ ସମ୍ମିଳନୀକୁ ନେଇ ଏକ ବଡ଼ ଧରଣର ବିବାଦ ହୋଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଶନିବାର ସ୍ପଷ୍ଟୀକରଣ ଦେଇଛି ଯେ ଶୁକ୍ରବାର ନୂଆଦିଲ୍ଲୀରେ ଆଫଗାନିସ୍ତାନର ତାଲିବାନ ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତ୍ତାକି କରିଥିବା ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରାଳୟର କୌଣସି ଭୂମିକା ନାହିଁ। ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ଅନୁପସ୍ଥିତିକୁ ନେଇ କିଛି ମହିଳା ସାମ୍ବାଦିକ ଏବଂ ିବିରୋଧୀ ଦଳ ନେତାମାନେ ପ୍ରଶ୍ନ ଉଠାଇବାପରେ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଆସିଛି। ମହିଳା ସାମ୍ବାଦିକମାନେ ଦୂତାବାସର ସୁରକ୍ଷା କର୍ମୀଙ୍କ ପାଖରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଉକ୍ତ ଘଟଣାକୁ ଅନେକ ମହିଳା ସାମ୍ବାଦିକ ତୀବ୍ର ବିରୋଧ କରିଛନ୍ତି। ଆଙ୍କର ଗୀତା ମୋହନ ଏକ ସୋସିଆଲ ମିଡିଆ ପୋଷ୍ଟ୍ରେ କହିଛନ୍ତି, ‘ ଆଫଗାନ ତାଲିବାନ ବୈଦେଶିକ ମନ୍ତ୍ରୀ ମୁତ୍ତାକିଙ୍କ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଏହା ଗ୍ରହଣୀୟ ନୁହେଁ। ଆଉ ଜଣେ ସାମ୍ବାଦିକ ନୟନିମା ବାସୁ ପ୍ରଶ୍ନ କରିଛନ୍ତି ଯେ ମୁତ୍ତାକିଙ୍କୁ କାହିଁକି ମହିଳା ସାମ୍ବାଦିକମାନଙ୍କୁ ସାମ୍ବାଦିକ ସମ୍ମିଳନୀରୁ ବାଦ ଦେବାକୁ ଅନୁମତି ଦିଆଗଲା। ରାଜଧାନୀର ହୃଦୟରେ ଆଫଗାନ ବୈଦେଶିକ ମନ୍ତ୍ରୀ ମୁତ୍ତାକି ଏକ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ଏବଂ ଉଦ୍ଦେଶ୍ୟମୂଳକ ଭାବରେ ମହିଳା ସାମ୍ବାଦିକଙ୍କୁ ବାଦ ଦେଉଛନ୍ତି। ଏହାକୁ କିପରି ଅନୁମତି ଦିଆଯାଇପାରିବ। ପ୍ରତିନିଧିତ୍ୱ ପ୍ରତି ଏତେ ଘୃଣ୍ୟ ଅବହେଳାକୁ କିଏ ଅନୁମୋଦନ ଦେଇଛି ବୋଲି ବାସୁ ପ୍ରଶ୍ନ କରିଛନ୍ତି।
ବର୍ଷିଲେ ବିରୋଧୀ ଓ ମହିଳା ସାମ୍ବାଦିକ
ସ୍ପଷ୍ଟୀକରଣ ଦେଲେ ସରକାର
କୌଣସି ଉଦ୍ଦେଶ୍ୟ ନ ଥିଲା: ତାଲିବାନ
ସାମ୍ବାଦିକ ସମ୍ମିଳନୀରୁ ମହିଳା ସାମ୍ବାଦିକଙ୍କୁ ବାଦ୍ ଦେଇଥିବାରୁ ବିରୋଧୀ ରାଜନେତାମାନେ ମଧ୍ୟ ମୁତ୍ତାକିଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପି. ଚିଦମ୍ବରମଦ, କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ ପ୍ରମୁଖ ଏହି ପ୍ରସଙ୍ଗରେ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଆମ ଦେଶରେ ଏବଂ ଆମ ମାଟିରେ ମହିଳାଙ୍କ ପ୍ରତି ସେମାନଙ୍କର ପକ୍ଷପାତପୂର୍ଣ୍ଣ ଏଜେଣ୍ଡା ଲାଗୁ କରିବା ପାଇଁ ସେମାନେ କିଏ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର କହିଛନ୍ତି ଯେ ପୁରୁଷ ସାମ୍ବାଦିକମାନେ ଏକତା ପ୍ରଦର୍ଶନ କରି ସାମ୍ବାଦିକ ସମ୍ମିଳନୀ ଛାଡିଯିବା ଉଚିତ ଥିଲା। ଆମର ଦୁର୍ବଳ ମେରୁଦଣ୍ଡହୀନ ପୁରୁଷ ସାମ୍ବାଦିକମାନେ ସେଠାରେ କାହିଁକି ରହିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ନେଇ ବଡ଼ ଧରଣର ବିବାଦ ହେବାପରେ ଆଫଗାନ ତାଲିବାନ ମୁଖପାତ୍ର ସୁହେଲ ଶାହିନ ଶନିବାର କହିଛନ୍ତି ଯେ ନୂଆଦିଲ୍ଲୀରେ ତାଲିବାନ୍ ନେତା ଏବଂ ଦେଶର ବୈଦେଶିକ ମନ୍ତ୍ରୀ ଅମୀର୍ ଖାନ୍ ମୁତ୍ତାକିଙ୍କ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକମାନଙ୍କୁ ବାଦ୍ ଦିଆଯିବା ଉଦ୍ଦେଶ୍ୟମୂଳନ ନଥିଲା। ମହିଳାମାନଙ୍କ ପ୍ରତି ଆମର କୌଣସି ପକ୍ଷପାତ ନୀତି ନାହିଁ ବୋଲି ସେ କହିଛନ୍ତି।