କାବୁଲ: ତାଲିବାନ ଆଫଗାନିସ୍ତାନର ପଶ୍ଚିମ ହେରାଟ ପ୍ରଦେଶରେ ଲିଙ୍ଗଗତ ଭେଦଭାବକୁ ନେଇ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ପୁରୁଷମାନଙ୍କୁ ରେସ୍ତୋରାଁରେ ପରିବାର ସଦସ୍ୟଙ୍କ ସହ ଭୋଜନ କରିବାକୁ ଦିଆଯିବ ନାହିଁ। ଏହା ବ୍ୟତୀତ ପୁରୁଷ ଏବଂ ମହିଳାଙ୍କୁ ମଧ୍ୟ ପାର୍କକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଘୋଷଣା କରାଯାଇଥିବା ଏହି ନିୟମ ସ୍ୱାମୀ-ସ୍ତ୍ରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।
ଏହି ନିୟମକୁ ନେଇ ଜଣେ ଆଫଗାନିସ୍ତାନୀ ମହିଳା କହିଛନ୍ତି ଯେ ନିକଟରେ ସେ ତାଙ୍କ ସ୍ୱାମୀଙ୍କ ସହ ହେରାଟ ରେସ୍ତୋରାଁକୁ ଯାଇଥିଲେ। ହେଲେ ସେଠାକୁ ଯିବା ପରେ ରେସ୍ତୋରାଁ ମ୍ୟାନେଜର ତାଙ୍କୁ ସ୍ୱାମୀଙ୍କଠାରୁ ଅଲଗା ବସି ରାତ୍ରୀ ଭୋଜନ କରିବାକୁ କହିଥିଲେ। ଏଭଳି ନିୟମ ଘୋଷଣା କରିଥିବା ମନ୍ତ୍ରାଳୟର ଅଧିକାରୀ ରିୟାଜୁଲ୍ଲା ସେରାଟ କହିଛନ୍ତି ଯେ ହେରାଟରେ ଥିବା ପାର୍କଗୁଡ଼ିକ ପାଇଁ ମଧ୍ୟ ସମାନ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ପୁରୁଷ ଓ ମହିଳା ସମାନ ଦିନ ପାର୍କ ଯାଇପାରିବେ ନାହିଁ। ଗୋଟେ ଦିନ ମହିଳା ପାର୍କ ଗଲେ ଅନ୍ୟ ଦିନ ପୁରୁଷ ପାର୍କ ଯିବେ। ଗୁରୁବାର, ଶୁକ୍ରବାର ଏବଂ ଶନିବାର ମହିଳା ପାର୍କ ଯାଇପାରିବା ସହ ରବିବାର, ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ପୁରୁଷଙ୍କ ପାଇଁ ପାର୍କ ଖୋଲା ରହିବ।

ମାର୍ଚ୍ଚରେ ମଧ୍ୟ ତାଲିବାନ ଦ୍ୱାରା ଏଭଳି ଅଜବ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏଥିରେ ପୁରୁଷ ଓ ମହିଳାଙ୍କୁ ଗୋଟାଏ ଦିନରେ ମନୋରଞ୍ଜନ ପାର୍କକୁ ଯିବାକୁ ବାରଣ କରାଯାଇଥିଲା। ଏହାପୂର୍ବରୁ ତାଲିବାନ ଶାସନରେ ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି। ସେଗୁଡ଼ିକ ହେଲା, ମହିଳା ଏକାକୀ ଯାତ୍ରା କରିବେ ନାହିଁ, ଅଧିକ ଦୂରକୁ ଯାଉଥିଲେ ପରିବାରର ଜଣେ ପୁରୁଷ ସାଙ୍ଗରେ ଯିବେ, ମହିଳାମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବା ଉପରେ ପ୍ରତିବନ୍ଧକ, ହିଜାବ୍ ପିନ୍ଧିବା, ଦୋକାନ ବାହାରେ ମହିଳାଙ୍କ ଛବି ଥିବା ବୋର୍ଡ ହଟାଇବା ଭଳି ପ୍ରତିବନ୍ଧକ ଲଗାଇଛି ତାଲିବାନ।