କାବୁଲ: ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତାହାର ପ୍ରକ୍ରିୟା ଜାରି ରହିଥିବା ବେଳେ ତାଲିବାନ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ତାଲିବାନର ଯୋଜନାବଦ୍ଧ ଆକ୍ରମଣକୁ ସାମ୍ନା କରିନପାରି ଆଫଗାନ୍ ସେନା ବିଭିନ୍ନ ଅଂଚଳରୁ ଛତ୍ରଭଂଗ ଦେଉଛି। ତାଲିବାନ କବ୍ଜାକୁ ଏବେ ଦେଶର ଦୁଇ ତୃତୀୟାଂଶ ଅଂଚଳ ଆସିଯାଇଥିବା ବେଳେ ସମଗ୍ର ଦେଶକୁ ଖୁବ୍ ଶୀଘ୍ର ନିଜ ନିୟନ୍ତ୍ରଣକୁ ନେଇଯିବୁ ବୋଲି ତାଲିବାନ ଶୀର୍ଷ କମାଣ୍ଡରମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଜଧାନୀ କାବୁଲକୁ କବ୍ଜା କରିବା ପାଇଁ ତାଲିବାନ ଏବେ ବିଶାଳ ଯୋଜନା କରୁଛି ଏବଂ ଆଫଗାନ୍ ସେନା ଏହାର ସଫଳ ମୁକାବିଲା କରିପାରିବା ନେଇ ସନ୍ଦେହ ଉପୁଜିଛି। ଏଭଳି ସ୍ଥିତିରେ ଭାରତ ସମେତ ପ୍ରାୟ ୧୬ଟି ରାଷ୍ଟ୍ର ସେମାନଙ୍କ ଦୂତାବାସର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି।
ଦୁଇ ଦିନ ତଳେ ଆଫଗାନିସ୍ତାନ-ଇରାନ୍ ସୀମାରେ ତାଲିବାନର ପ୍ରଚଣ୍ଡ ଆକ୍ରମଣ ପରେ ଆଫ୍ଗାନ ସେନା ଛତ୍ରଭଂଗ ଦେଇ ଇରାନ୍ର ଶରଣକୁ ପଳାଇଥିବା ଜଣାପଡ଼ିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକାର ସେନା ପ୍ରତ୍ୟାହାର ଜାରି ରହିଥିବାରୁ ଭାରତ, ରୁଷ୍, ଚୀନ୍ ଏବଂ ଇରାନ୍ର ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ତୁର୍କୀ, ପାକିସ୍ତାନ ସମେତ ଅନେକ ରାଷ୍ଟ୍ର ଆଫଗାନିସ୍ତାନକୁ ନେଇ ସକ୍ରିୟ ହୋଇଉଠିଛନ୍ତି। ତାଲିବାନର ମୁକାବିଲା ପାଇଁ ପାଇଁ ବର୍ତ୍ତମାନର ଆଫଗାନିସ୍ତାନ ସେନା ନିକଟରେ ସାମର୍ଥ୍ୟ ନଥିବାରୁ ଆମେରିକା ତା’ର ରଣନୀତିରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଚାପ ବଢ଼ୁଛି।
ଶାନ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ଭଣ୍ଡୁର ହୋଇଥିବା ବେଳେ ବିଭିନ୍ନ ପ୍ରଦେଶରେ ନିରୀହ ଲୋକ ଓ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଉଛି। ପାକିସ୍ତାନର ଗୁଇନ୍ଦା ସଂଗଠନ ଆଇଏସ୍ଆଇ ଏବେ ତାଲିବାନ ଏବଂ ଅନ୍ୟ କେତେକ ସଂଗଠନ ଭିତରେ ସକ୍ରିୟ ରହିଛି। ଚୀନ୍ ନିଜର ସିନ୍ଜିଆଙ୍ଗ୍ ପ୍ରଦେଶ ଏବଂ ଉଇଘର ମୁସ୍ଲମାନଙ୍କୁ ନେଇ ସତର୍କ ହୋଇଉଠିଛି। ଇରାନ୍କୁ ଆଫଗାନ ସୀମା ଲାଗିଥିବାରୁ ତାଲିବାନ ସମଗ୍ର ଅଂଚଳକୁ ନିଜ ନିୟନ୍ତ୍ରଣକୁ ନେଲେ ଇରାନ୍ ପାଇଁ ମଧ୍ୟ ବିପଦ ସୃଷ୍ଟି ହେବ। ଅନ୍ୟପକ୍ଷରେ ପାକିସ୍ତାନ ସୀମାରେ ଏବେ ତାଲିବାନ ଅଧିକ ସକ୍ରିୟ ଅଛନ୍ତି ଏବଂ ଆବଶ୍ୟକସ୍ଥଳେ ପାକିସ୍ତାନ ସେନା ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ପାଇଁ ମଧ୍ୟ ତାଲିବାନ ପଛାଇବ ନାହିଁ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/taliban.jpg)