ତାଲିବାନ ଓ ପାକିସ୍ତାନୀ ସୈନ୍ୟଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ, ଜଣେ ପାକ୍ ସୈନିକ ନିହତ

କାବୁଲ : ପାକିସ୍ତାନ ଓ ତାଲିବାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବିଶେଷକରି ସୀମାକୁ ନେଇ ପୂର୍ବରୁ ରହିଆସିଥିବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗତ ରବିବାର ପାକିସ୍ତାନ ସୀମାରେ ଥିବା ଆଫଗାନିସ୍ତାନର ସ୍ପିନ-ବୋଲଡାକ ଜିଲ୍ଲାରେ ତାଲିବାନ ସୈନ୍ୟ ଓ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ସଂଘର୍ଷରେ ଜଣେ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଏହା ପରେ ଉକ୍ତ ଅଂଚଳରେ ଉତ୍ତେଜନା ଲାଗି ରହିଛି ଓ ସ୍ପିନ ବୋଲଡାକ-ଚମନ କ୍ରସିଂକୁ ବନ୍ଦ କରିଦିଆଯାଇଛି ।

କେଉଁ କାରଣରୁ ବିବାଦ ଆରମ୍ଭ ହୋଇ ସଂଘର୍ଷର ରୂପ ନେଇଥିଲା‌େ ତାହା ଜଣାପଡ଼ି ନଥିଲେ ବି ଏହା ପଛରେ ସୀମା ବିବାଦ ଥିବା କୁହାଯାଉଛି । ଦୁଇ ଦେଶ ମଧ୍ୟରେ ଥିବା ଡୁରାଣ୍ଡ ଲାଇନରେ ପାକିସ୍ତାନ ପକ୍ଷରୁ ତାରବାଡ଼ ଲଗାଯାଇଥିବାବେଳେ ତାଲିବାନ ସୈନ୍ୟମାନେ ନିକଟରେ ତାହାକୁ କାଟି ଦେଇଥିଲେ । ଏହା ପରେ ବିବାଦ ବଢିଯାଇଥିବା ଅନୁମାନ କରାଯାଉଛି । ଦୁଇ ପକ୍ଷରୁ ଗୁଳିଚାଳନା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।

ତେବେ ଗୋଟିଏ ବର୍ଷ ଭିତରେ ହିଁ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଗଲା ? ଏହାର କାରଣ ହେଉଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ବିବାଦ । ବ୍ରିଟିଶ ଅମଳରୁ ହିଁ ଆଫଗାନିସ୍ତାନ ଏହାକୁ ମାନ୍ୟତା ଦେଉନାହିଁ । ଏବେ ପାକିସ୍ତାନ ପକ୍ଷରୁ ଏହି ସୀମାରେ ତାରବାଡ଼ ଦିଆଯାଉଥିବାରୁ ତାଲିବାନ ତାହାର ବିରୋଧ କରୁଛି ।

ସମ୍ବନ୍ଧିତ ଖବର